ବର୍ଷ ବର୍ଷ ଲାଗି ରହିବ ଯୁଦ୍ଧ: ନାଟୋ ମୁଖ୍ୟ
ବ୍ରସେଲ୍ସ: ଋଷ ଓ ୟୁକ୍ରେନ ମଧ୍ୟରେ ୪୩ ଦିନ ଧରି ଲାଗି ରହିଥିବା ଯୁଦ୍ଧ ଏତେଶୀଘ୍ର ଥମିବ ନାହିଁ । ବର୍ଷବର୍ଷ ପର୍ଯ୍ୟନ୍ତ ଏହା ଜାରି ରହିପାରେ । କାରଣ ଋଷ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ ୟୁକ୍ରେନର ନିର୍ଦ୍ଧିଷ୍ଟ ଅଂଚଳକୁ କବ୍ଚା କରିବାକୁ ଚାହୁଁନାହାନ୍ତି । ସେ ସମଗ୍ର ୟୁକ୍ରେନ ଉପରେ ହିଁ ନିୟନ୍ତ୍ରଣ ଚାହୁଁଛନ୍ତି । ନାଟୋ ମହାସଚିବ ଜେନସ୍ ଷ୍ଟୋଲେନବର୍ଗ ବୁଧବାର ଏହି ସତର୍କବାଣୀ କରିଛନ୍ତି ।
ନାଟୋ ଦେଶକୁଡିକର ବିଦେଶ ମନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ ଷ୍ଟୋଲେନବର୍ଗ ଏହି କଥା କହିଛନ୍ତି । ତାଙ୍କ ମୁତାବକ ୟୁକ୍ରେନ ଯୁଦ୍ଧ ଥମିବା ନେଇ କୌଣସି ସଙ୍କେତ ପ୍ରକାଶ ପାଉନାହିଁ । ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ସତ୍ତ୍ୱେ ଯୁଦ୍ଧ ଲାଗିରହୁଛି । ୟୁକ୍ରେନ ଉପରେ ପୂର୍ଣ୍ଣାଙ୍ଗ ନିୟନ୍ତ୍ରଣ ଆଣି ପୁଟିନ୍ ନୂଆ ଆନ୍ତର୍ଜାତୀୟ ଅନୁଶାସନ ଲେଖିବାକୁ ଚାହୁଁଛନ୍ତି । ତେଣୁ ଆମକୁ ଦୀର୍ଘମିଆଦୀ ପାଇଁ ପ୍ରସ୍ତୁତ ହେବାକୁୁ ପଡିବ ।
ୟୁକ୍ରେନ ରାଜଧାନୀ କ୍ୱିଭ୍ ଓ ଏହାର ଆଖପାଖ ଅଂଚଳରୁ ଅପସାରଣ ହୋଇ ଋଷ ସେନା ବର୍ତ୍ତମାନ ପୂର୍ବାଞ୍ଚଳ ଉପରେ ଧ୍ୟାନକେନ୍ଦ୍ରିତ କରିଥିବାବେଳେ ଷ୍ଟୋଲେନବର୍ଗ ଏଭଳି ମତପୋଷଣ କରିଛନ୍ତି । ନାଟୋ ମୁଖ୍ୟ ଆହୁରି କହିଛନ୍ତି ଯେ, ୟୁକ୍ରେନ ଆକ୍ରମଣ ୟୁରୋପ ପାଇଁ ଏକ ବଡ ଚେତାବନୀ । ଭବିଷ୍ୟତରେ ଯେ, ୟୁରୋପ ବିପଦମୁଖୀ ହୋଇପଡିବ, ତାହାକୁ ଏଡାଇ ହେବ ନାହିଁ । ତେଣୁ ଏହାର ସୁରକ୍ଷା ପାଇଁ ନାଟୋକୁ ପୁଣି ସଶକ୍ତ ଓ ସଜାଗ ହେବାକୁ ପଡିବ ।
Powered by Froala Editor