ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ୭ ତାରିଖରେ ଶପଥ ନେବେ ଷ୍ଟାଲିନ

ଚେନ୍ନାଇ: ବିପୁଳ ଜନମତରେ ବିଜୟ ପରେ ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏମ୍.କେ ଷ୍ଟାଲିନ୍ । କରୋନା ଯୋଗୁ ଶପଥ ଉତ୍ସବ ନିରାଡ଼ମ୍ବର ଭାବେ ପାଳନ କରାଯିବାକୁ ଆପାତତଃ ସ୍ଥିର କରାଯାଇଛି । ଷ୍ଟାଲିନ୍ କହିଛନ୍ତି, ମଙ୍ଗଳବାର ଦଳୀୟ ବିଧାୟକଙ୍କ ବୈଠକ ବସିବ । ଏହି ସମୟରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ଏହାପରେ ସରକାର ଅଧିକାରୀଙ୍କ ପରାମର୍ଶକ୍ରମେ କରୋନା କଟକଣା ମଧ୍ୟରେ ସବୁ କିଛି ହେବ ।
ଲୋକମାନେ ଡିଏମକେ ନେତୃତ୍ୱାଧୀନ ସେକ୍ୟୁଲାର ପ୍ରୋଗ୍ରେସିଭ ଆଲିଏନ୍ସକୁ ବିପୁଳ ସମର୍ଥନ ଦେଇଛନ୍ତି । ତାମିଲନାଡୁର ନୂଆ ସରକାର ସମସ୍ତଙ୍କୁ ଖୁସି କଲା ଭଳି କାମ କରିବ । ଏଆଇଏଡିଏମକେ ଶାସନ କାଳରେ ତାମିଲନାଡୁ ତଳକୁ ଚାଲି ଯାଇଥିବା ଲୋକେ ଜାଣିଛନ୍ତି । ଏଥିପାଇଁ ସେମାନେ ଡିଏମକେକୁ ଭୋଟ ଦେଇଛନ୍ତି । ଲୋକମାନଙ୍କ ସ୍ୱପ୍ନ ପୂରଣ କରିବାକୁ ଦଳ ସବୁ ବେଳେ ଚେଷ୍ଟା କରିବ । ସେହିପରି ଶପଥ ପାଠ ଉତ୍ସବ ଅତ୍ୟନ୍ତ ସାଧାରଣ ରହିବ ବୋଲି ସେ କହିଛନ୍ତି ।
୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମକେ ଓ କଂଗ୍ରେସ ମେଣ୍ଟ ୧୫୭ଟି ଆସନରେ ଜିତିଥିବା ବେଳେ ଆଇଏଡିଏମକେ ମେଣ୍ଟ ମାତ୍ର ୭୫ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି । ଅନ୍ୟାନ୍ୟ ଦଳ ଦୁଇ ଆସନରେ ବାଜିମାତ କରିଛନ୍ତି । ସରକାର ଗଠନ ପାଇଁ ତାମିଲନାଡୁରେ ୧୧୮ ଆସନ ଆବଶ୍ୟକ । ଏହାଠାରୁ ଯଥେଷ୍ଟ ଅଧିକ ଆସନରେ ଷ୍ଟାଲିନଙ୍କ ଡିଏମକେ ବାଜିମାତ କରିଛି । ତାମିଲନାଡୁରେ ବିଧାନସଭା ନିର୍ବାଚନରେ ସାଉଥ ଷ୍ଟାର କମଲ ହାସନ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ହେଁ ଗୋଟିଏ ବି ସ୍ଥାନରେ ଜିତିପାରି ନାହାନ୍ତି । ନିଜେ କମଲ ହାସନ ଦକ୍ଷିଣ କୋଏମ୍ବାଟୁର ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଦୀର୍ଘ ୧୦ ବର୍ଷ ପରେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ ପୁଣି ଥରେ କ୍ଷମତାକୁ ଫେରିଛି । ଡିଏମ୍କେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ କୋଲାଥାପୁର ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିବା ବେଳେ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଚେପକ୍ ଥିରୁଭଲ୍ଲିକେନିରେ ବିଜୟୀ ହୋଇଛନ୍ତି ।
ଡିଏମକେର ଉଦୟନିଧି ଷ୍ଟାଲିନ୍ ଚେପୁକ୍-ଥିରୁଭାଲିକେନି ନିର୍ବାଚନମଣ୍ଡଳୀରେ ୬୯.୨% ରେ ଜିତିଛନ୍ତି । ସେ ଏଠାରୁ ୩୫,୮୮୮ ଖଣ୍ଡରୁ ଅଧିକ ଭୋଟ୍ ପାଇଛନ୍ତି । ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଚେପୁକ୍-ଥିରୁଭାଲିକେନି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ୍ ଭୋଟରଙ୍କ ସଂଖ୍ୟା ୫୮.୪୧ ପ୍ରତିଶତ ରେକର୍ଡ କରାଯାଇଥିଲା ।
ଉଦୟନିଧି ଷ୍ଟାଲିନ୍ ମଧ୍ୟ ଜଣେ ଅଭିନେତା । ଯିଏ କି କୋଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ସେ ତାଙ୍କ ପ୍ରଡକ୍ସନ୍ ଷ୍ଟୁଡିଓ ରେଡ୍ ଜଏଣ୍ଟ୍ ମ୍ୟୁଭିଜ୍ ସହ ଫିଲ୍ମ ନିର୍ମାତା ଏବଂ ବିତରକ ଭାବରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ସେ କୁରୁଭି, ଆଧାଭାନ୍ ଏବଂ ମନମଦନ ଅମ୍ବୁ ଭଳି ଫିଲ୍ମ ନିର୍ମାଣ କରିଛନ୍ତି ।
Powered by Froala Editor