ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ ତାରା
ଭୁବନେଶ୍ୱର: ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶ ପରିପ୍ରେକ୍ଷୀରେ ଆଜି ରାଜ୍ୟର ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠୁଛି । ବିରୋଧୀ ଦଳ ସଦସ୍ୟ ଏଭଳି ପ୍ରସଙ୍ଗ ଉଠାଇଚାଲିଛନ୍ତି । ଏହାରି ଭିତରେ ଆଜି ଗାଙ୍ଗପୁର ଆଇଆଇସି ଦେବ ଗମାଙ୍ଗଙ୍କ ମୃତୁ୍ୟ ମାମଲା ବିଧାନସଭାରେ ଉଠିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି । କେବଳ ସେତିକି ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଏହି ପ୍ରସଙ୍ଗ ଉପରେ ବିବୃତି ରଖନ୍ତୁ ବୋଲି ତାରା ଦାବି କରିଛନ୍ତି । ଏଥିସହ ମାମଲାର ତଦନ୍ତ ଠିକଭାବେ କରିବାକୁ ତାରା ଦାବି କରିଛନ୍ତି ।
ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ରବିବାର ମୁହଁ ଖୋଲିଥିଲେ ତାଙ୍କ ପତ୍ନୀ କିରଣ ମହାନ୍ତି। ପୁଲିସ୍ ଡିପାର୍ଟମେଣ୍ଟରେ ଚାକିରି କରୁଥିବା କିରଣ ଘଟଣା ସଂପର୍କରେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, କୌଣସି ପାରିବାରିକ ଅଶାନ୍ତି ନଥିଲା। ସ୍ୱାମୀଙ୍କ ଉପରେ କାମର ଚାପ ଥିଲା। ଘଟଣା ଯାହା ବି ହୋଇଥାଉ ନା କାହିଁକି, ତା’ର ସଠିକ୍ ତଦନ୍ତ କରାଯାଇ ଆମକୁ ନ୍ୟାୟ ପ୍ରଦାନ କରାଯାଉ।
କିରଣ କହିଛନ୍ତି, ମୋ ପିଲାମାନଙ୍କ ବାପା ଆଉ ଫେରି ଆସିବେ ନାହିଁ। କିନ୍ତୁ ଆମକୁ ନ୍ୟାୟ ଦିଆଯାଉ। ଆମେ ପୁଲିସ୍ ଡିପାର୍ଟମେଣ୍ଟରେ ଥାଇ ଯଦି ଆମକୁ ନ୍ୟାୟ ମିଳିବ ନାହିଁ, ତା’ହେଲେ ଆଉ କାହାକୁ କ’ଣ ନ୍ୟାୟ ଦେବୁ। ଆମେ ଚାହୁଁଛୁ, ଏ ଘଟଣାର ସଠିକ୍ ତଦନ୍ତ ହେଉ।
ସେ ଆହୁରି କହିଥିଲେ, ମୋ ସ୍ୱାମୀଙ୍କୁ ମାନସିକ ନିର୍ୟାତନା ଦିଆଯାଇଥିଲା କି ନାହିଁ, ତାହା ମୁଁ ଜାଣିନି। ମୁଁ ସେଠାରେ ରହୁ ନଥିଲି। ମୋର ପୋଷ୍ଟିଂ ଅଲଗା ସ୍ଥାନରେ ହୋଇଛି। ମୋ ଶାଶୁ କହୁଛନ୍ତି ଯେ ଘଟଣା ଦିନ ମୋ ସ୍ୱାମୀଙ୍କ ସରକାରୀ ବାସଭବନକୁ ଭଞ୍ଜନଗର ଏସ୍ଡିପିଓ ଓ ଆଇଆଇସି ଆସିଥିଲେ। ସମସ୍ତେ ମିଶି ଖାଇଥିଲେ। ଶାଶୁ ଗାଧୋଉ ଥିବା ବେଳେ ଗୁଳି ଫୁଟିବା ଶବ୍ଦ ଶୁଣିଥିଲେ। ସେ ବାଥ୍ରୁମ୍ରୁ ଆସି ଦେଖିଲା ବେଳକୁ ମୋ ସ୍ୱାମୀ ମୁହଁମାଡ଼ି ତଳେ ପଡ଼ିଥିଲେ।
କିରଣ କହିଛନ୍ତି, ସେ (ସ୍ୱାମୀ ଦେବ ଗମାଙ୍ଗ) ଛୁଟି ମାଗିଥିଲେ। କିନ୍ତୁ ଛୁଟି ମିଳି ନଥିଲା। ତେବେ ନିର୍ବାଚନ ସରିବା ପରେ ଛୁଟି ମିଳିବ ବୋଲି ସେ କହୁଥିଲେ। କାମର ଚାପ ଅଧିକ ଥିଲା। ଆମ ଦୁହିଁଙ୍କ କର୍ମସ୍ଥଳୀ ବି ବେଶ୍ ଦୂରରେ ଥିଲା। ଛୁଟି ମିଳୁ ନଥିବାରୁ ସେ ମୋ ପାଖକୁ ଆସିପାରୁ ନଥିଲେ। ତେବେ କୌଣସି ପ୍ରକାର ପାରିବାରିକ ଅଶାନ୍ତି ନଥିବା ସେ କହିଥିଲେ।
Powered by Froala Editor