ବିଏମସି ଫଳାଫଳ ଟ୍ରେଣ୍ଡ: ବିଜେଡି ୧୧୩୧୨, ବିଜେପି ୭୦୫୮, କଂଗ୍ରେସକୁ୪୩୪ ଭୋଟ
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ହେଲେ ଭୁବନେଶ୍ବର ସ୍ଥିତ ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ୨ ଘଣ୍ଟା ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଛି । ୪ଟି ପର୍ୟ୍ୟାୟରେ ଏଠାରେ ଗଣତି କରାଯିବ ।
ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବିଜେଡିର ସୁଲୋଚନା ଦାସ ଆଗୁଆ ରହିଛନ୍ତି । ସେ ୧୧୩୧୨ଭୋଟରେ ଆଗୁଆ ରହିଛନ୍ତି । ସେହିପରି ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ୭୦୫୮ଭୋଟ ଓ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୪୩୪ ଭୋଟ ପାଇଛନ୍ତି ।
କୋଭିଡ ସ୍ଥିତି ଯୋଗୁଁ ଷ୍ଟ୍ରଙ୍ଗରୁମ ବିଶୋଧନ ପାଇଁ ଗଣତି ଡେରି ହୋଇଥିବା ସୂଚନା ମିଳିଛି । ସେହିପରି ଗଣତି ସମୟରେ ଷ୍ଟ୍ରଙ୍ଗରୁମ ଭିତର ଓ ବାହାରପଟର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି । ଯେପରି କୌଣସି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ନ ହୁଏ ସେ ଦିଗରେ ଧ୍ୟାନ ଦିଆଯାଉଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ପରବର୍ତ୍ତୀ ସମୟରେ ଏଭିଏମ ଭୋଟ ଗଣତି କରାଯିବ । ତେବେ ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗତକାଲି(ଶୁକ୍ରବାର) ପ୍ରବଳ ଗଣ୍ଡଗୋଳ ହୋଇଥିଲା । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବିଜେପି କର୍ପୋରେଟର ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଛାଉଣୀ ମଧ୍ୟରେ ଷ୍ଟ୍ରଙ୍ଗରୁମ୍ରେ ଜଣେ ଯୁବକ ପଶିଥିବା ନେଇ ବିଜେପି ଅଭିଯୋଗ କରିବା ପରେ ଏଭଳି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଅଞ୍ଚଳରେ ବିଜେଡି ଆଗରେ ରହିଛି । ଅଧିକାଂଶ ସ୍ଥାନରେ ବିଜେଡି ବାଜିମାତ କରିସାରିଲାଣି । ବିଜେଡିର ବିଜୟ ବାନା ଉଡ଼ିବାରେ ଲାଗିଛି । ସୁନାମୀ ଭଳି ବିଜେଡି ମାଡ଼ିଚାଲିଛି । ରାଜ୍ୟରେ ଚାଲିଛି ପୌର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ଭୋଟ ଗଣତି ହେବ ନାହିଁ । ୬ଟି ଓ୍ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଗଣତି ସ୍ଥଗିତ ରଖାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ୨ଟି ଟେବୁଲରେ କାଉଣ୍ଟିଂ ହେଉଛି ।
ତେବେ ବର୍ତ୍ତମାନର ୧୦୮ ପୌରପରିଷଦର ଫଳାଫଳର ଟ୍ରେଣ୍ଡ ଅନୁଯାୟୀ ବିଜେଡି ୭୫, ବିଜେପି ୧୭, କଂଗ୍ରେସ ୭ ଓ ଅନ୍ୟାନ୍ୟ ଦଳ ୯ଟିରେ ଆଗୁଆ ଅଛନ୍ତି।
Powered by Froala Editor