ବ୍ଲକ ଉପାଧ୍ୟକ୍ଷଙ୍କୁ ମାଡ଼

ଭୁବନେଶ୍ୱର:ପୌର ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ସତ୍ତ୍ୱେ ହିଂସାକାଣ୍ଡ ଘଟିଛି । ପଞ୍ଚାୟତ ନିର୍ବାଚନ ଭଳି ପୌରଭୋଟରେ ବି ହିଂସାକାଣ୍ଡ ଦେଖିବାକୁ ମିଳିଛି । କେଉଁଠି ଛୁରାମାଡ଼ ତ କେଉଁଠି ମରଣାନ୍ତକ ଆକ୍ରମଣ କରାଯିବା ଭଳି ଘଟଣା ସାମନାକୁ ଆସିଛି ।
ଏହାରି ଭିତରେ ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କୁ ଆକ୍ରମଣ କରାଯାଇଥିବା ଖବର ସାମନାକୁ ଆସିଛି । ରାଜନୈତିକ ଶତ୍ରୁତାରୁ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ବୁଥ ଆଗରେ ଶ୍ରୀ ସାହୁଙ୍କୁ ଆକ୍ରମଣ କରାଯାଇଛି ।
ଅନ୍ୟପକ୍ଷରେ ବୁଥ ସାମ୍ନାରେ ଜଣେ ଯୁବକଙ୍କୁ ଛରାମାଡ଼ କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୯ ନଂ ୱାର୍ଡ ଅନ୍ତର୍ଗତ ୧୬ ନମ୍ବର ବୁଥ ଆଗରେ ଏଭଳି ଘଟଣା ଘଟିଛି । ଭୋଟ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଛୁରାମାଡ଼ ପ୍ରତିବାଦରେ ଲୋକମାନେ ରାସ୍ତାରୋକ କରିଛନ୍ତି ।
ପ୍ରକାଶ ଥାଉ କି, ଆଜି ୩ଟି ମହାନଗର, ୪୭ଟି ପୌରାଞ୍ଚଳ ଓ ୫୯ଟି ଏନଏସିରେ ଭୋଟ ଗ୍ରହଣ ହେଉଛି । ଇଭିଏମରେ ୬୪୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହେବ । ମୋଟ ୪୦ ଲକ୍ଷ ୫୫ ହଜାର ୫୩ ମତଦାତା ବାଛୁଛନ୍ତି ନେତା । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ଭୋଟ ଗ୍ରହଣ ହେବ । ପୌର ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଅନ୍ୟପକ୍ଷରେ ଦିନ ୧୨ଟା ସୁଦ୍ଧା ୩ଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ହାରାହାରି ୨୧ ପ୍ରତିଶତ ମତଦାନ ହୋଇଛି । ସେହିପରି ୩ ମହାନଗର ଛାଡ଼ି ଅନ୍ୟ ସହରାଞ୍ଚଳରେ ୩୨ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଇଭିଏମ ତ୍ରୁଟି ଯୋଗୁ କୌଣସି ସ୍ଥାନରେ ଭୋଟ ଗ୍ରହଣ ବନ୍ଦ ହୋଇନି ବୋଲି ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Powered by Froala Editor