ମାନସ ହତ୍ୟା ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା ଘନେଇବାରେ ଲାଗିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ତଦନ୍ତ ଅଧିକାରୀ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଭଦ୍ରକ ଏସପି ଅଫିସରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପହଞ୍ଚି ମାମଲା ଓ ତଦନ୍ତ ଅଗ୍ରଗତି ସଂପର୍କରେ ଏସପିଙ୍କ ସହ ଆଲୋଚନା କରିଛନ୍ତି ।
ଅନ୍ୟପଟେ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଆଉ ଗୋଟିଏ ଟିମ୍ ମଧ୍ୟ ଯାଇଛି । ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ ଏହି କ୍ରାଇମବ୍ରାଞ୍ଚ ଟିମ୍ ଖୋଜିବ । ସୂଚନା ଅନୁସାରେ ଏହି ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ଆବେଦନ କରିଥିଲେ । ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ମାନସ ହତ୍ୟା ଘଟଣା ପରଠୁ ପୁଲିସ ଶର୍ମିଷ୍ଠାଙ୍କୁ ଖୋଜୁଥିବା ବେଳେ ତାଙ୍କର ପତ୍ତା ପାଇ ପାରୁନାହିଁ । ଗତକାଲି ଶର୍ମିଷ୍ଠାଙ୍କ ଶାଶୁଙ୍କ କହିବା ଅନୁସାରେ ଶର୍ମିଷ୍ଠା ଦୁଇ ଦିନ ତାଙ୍କ ଶାଶୁଘରେ ଥିଲେ ।
ଗତକାଲି ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଥିଲା । ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜ୍ରୁ ଶର୍ମିଷ୍ଠାଙ୍କ କାର୍ ମିଳିଥିଲା । ଏହି କାରରେ ମାନସଙ୍କୁ ଚାନ୍ଦବାଲିରୁ ଉଠା ଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଥିଲା ।
ସୂଚନା ଅନୁସାରେ ଫେବ୍ରୁଆରୀ ୬ ତାରିଖରେ ମାନସ ବାହାଘର ଭିଡିଓ ଶୁଟିଂ କରିବାକୁ ଯାଇଥିଲେ । ତା’ପର ଦିନ ଅର୍ଥାତ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିବା ବେଳେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାଡ ମାରି ମାନସଙ୍କୁ ଅପହରଣ କରିନେଇଥିଲେ । ତାଙ୍କୁ ଭୁବନେଶ୍ୱର ଦୟାଲ୍ ଆଶ୍ରମ ଆଣି ପ୍ରବଳ ମାଡ ମାରିଥିଲେ । ମାଡ ମାରୁ ମାରୁ ସେଠାରେ ମାନସଙ୍କ ମୃତୁ୍ୟ ଘଟିଥିଲା । ତା’ପରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ ।
Powered by Froala Editor