ସୀତାକୁଣ୍ଡରୁ ଅଯୋଧ୍ୟା ଗଲା ପବିତ୍ର ଜଳ

ମାଲକାନଗିରି ଜିଲ୍ଲା ସୀତାକୁଣ୍ଡରୁ ରାମ ଜନ୍ମଭୂମି ଅଯୋଧ୍ୟାକୁ ପବିତ୍ର ଜଳ ପଠାଯାଇଛି । ବଣ୍ଡାଘାଟିରେ ପୂଜାର୍ଚ୍ଚନା ପରେ ଦିବ୍ୟଜଳକୁ ଅଯୋଧ୍ୟା ପଠାଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇଥିଲେ ।
ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ସବୁ ପୌରାଣିକ ସ୍ଥାନରେ ଅବସ୍ଥାପନ କରିଥିଲେ, ସେହି ସବୁ ସ୍ଥାନରୁ ପାଣି ସଂଗ୍ରହ କରାଯାଉଛି । ତେବେ ଓଡ଼ିଶାର ଏକମାତ୍ର ପୌରାଣିକ ସ୍ଥଳୀ ଭାବେ ସୀତାକୁଣ୍ଡରୁ ପାଣି ନିଆଯାଇଛି । ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ଥିବା ସୀତାକୁଣ୍ଡକୁ ଯିବାକୁ ସାଧାରଣତଃ ଲୋକ ଭୟ କରିଥାନ୍ତି, ମାତ୍ର ରାଜ୍ୟପାଳ ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚାଲିଚାଲି ଯାଇ ଏହି ପବିତ୍ର ସ୍ଥାନରେ ପହଞ୍ଚିଥିଲେ । ବଣ୍ଡା ଜନଜାତିଙ୍କ ସହ ଭାବ ବିନିମୟ କରିବା ସହ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟର ଅନେକ ଅକୁହା କଥା କହିଛନ୍ତି ରାଜ୍ୟପାଳ।
ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା। ବଣ୍ଡାଘାଟିର ଶିଖରରେ ଅସ୍ଥାୟୀ ହେଲିପ୍ୟାଡ୍ ବି ନିର୍ମାଣ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ରାଜ୍ୟପାଳ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚି ବଣ୍ଡାଘାଟିରେ ଅବତରଣ କରିଥିଲେ। ସେଠାରୁ ସିଧା ସୀତାକୁଣ୍ଡରେ ପହଞ୍ଚି ମାତା ସୀତାଙ୍କ ରହିଥିବା ପାଦଚିହ୍ନରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସୀତାକୁଣ୍ଡରୁ ପାଣି ଆଣି ପିଇଥିଲେ। ସେହିପରି ସୀତାକୁଣ୍ଡରୁ ସଂଗ୍ରହ କରାଯାଇଥିବା ଜଳକୁ ଅଯୋଧ୍ୟା ପଠାଯାଇଥିଲା।
Powered by Froala Editor