ବାଣପୁର ଜେଲରେ ଚିଲିକା ବିଧାୟକ

ଭୁବନେଶ୍ୱର : ବହୁଚର୍ଚ୍ଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି । ହସପିଟାଲରୁ ବାହାରିବା ପରେ ଗତକାଲି ପୁଲିସ ତାଙ୍କୁ ଗିରଫ କରିଥିଲା । ଅସୁସ୍ଥତା ଥିବା ଦର୍ଶାଇ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ଅଦାଲତରେ ଜାମିନ ଆବେଦନ କରିଥିଲେବି ତାହାକୁ ଖାରଜ କରିଦିଆଯାଇଛି । ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଗତକାଲି ସେ ବାଣପୁର ଜେଲରେ ହିଁ ରାତି କଟାଇଛନ୍ତି । ଜେଲ ଭିତରେ ସେ ବେଶ ଗୁମସୁମ ଥିଲେ । ଗତକାଲି ରାତିରେ ସେ ଜେଲରେ ଖାଇନଥିବା ଜଣାପଡ଼ିଛି । ତେବେ ଜାମିନ ଆବେଦନ ପାଇଁ ଦିନେ ଦିଦିନ ଭିତରେ ସେ ଉଚ୍ଚ ଅଦାଲତକୁ ଯିବେ ବୋଲି ଜାଣିବାକୁ ମିଳିଛି ।
ସୂଚନାଯୋଗ୍ୟଯେ, ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ବାଣପୁର ବ୍ଲକ ଆଗରେ ବହୁ ଲୋକ ଭିଡ଼ ଜମାଇଥିଲେ । ବିଜେପିର କାର୍ଯ୍ୟକର୍ତାମାନେ ଶୋଭାଯାତ୍ରା କରୁଥିଲେ । ପୁଲିସର ବାରଣ ସତ୍ୱେ ପ୍ରଶାନ୍ତ ଜଗଦ୍ଦେବ ସେହି ଭିଡ଼ ଭିତରକୁ ପଶି ଯାଇଥିଲେ । ଶୋଭାଯାତ୍ରା ଭିତରକୁ ଶ୍ରୀ ଜଗଦ୍ଦେବ ଆସୁଥିବାରୁ ଲୋକମାନେ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ । ତେବେ ପରେ ସେ ଗାଡ଼ି ଆଗକୁ ନେବାରୁ କେତେକ ଲୋକ ତାଙ୍କ ଗାଡ଼ି ଆଗରେ ପଡ଼ିଯାଇଥିଲେ । ତାଙ୍କ ଗାଡ଼ି ଧକ୍କାରେ ବହୁ ଲୋକ ଗୁରୁତର ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ତାଙ୍କୁ ଗାଡ଼ି ଭିତରୁ ଘୋଷାଡ଼ି ଆଣି ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ହୋଇ ସେ ହସପିଟାଲରେ ଭର୍ତି ହୋଇଥିଲେ । ହସପିଟାଲରୁ ଆସିବା ପରେ ତାଙ୍କୁ ପୁଲିସ ଗିରଫ କରିôଥଲା ।
Powered by Froala Editor