‘ଅଲଟାଇମ୍ ବ୍ଲକବ୍ଲଷ୍ଟର୍’ ହେଲା ‘ଦ କଶ୍ମୀର ଫାଇଲ୍ସ’, ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା ଓ୍ବାଇ ସୁରକ୍ଷା
ରିଲିଜ୍ ହେବାର ସପ୍ତମ ଦିନରେ ‘ଦ କଶ୍ମୀର ଫାଇଲ୍ସ’ ‘ଅଲଟାଇମ୍ ବ୍ଲକବ୍ଲଷ୍ଟର୍’ ବା ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ମାନ୍ୟତା ପାଇଛି। ତେବେ ଅନ୍ୟ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭଳି ‘ଦ କଶ୍ମୀର ଫାଇଲ୍ସ’ରେ ବଡ ତାରକା ନାହାନ୍ତି, ଏହି ଚଳଚ୍ଚିତ୍ରକୁ ଅଧିକ ବଜେଟରେ ତିଆରି କରାଯାଇ ନାହିଁ, କୌଣସି ହିଟ୍ ଗୀତ ବି ନାହିଁ, ଅଧିକ ପ୍ରୋମୋସନ୍ ମଧ୍ୟ କରାଯାଇ ନାହଁ। ତଥାପି ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ମାତ୍ର ୭ ଦିନ ଭିତରେ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି। ବଲିଉଡର ଅନ୍ୟ କୌଣସି ଚଳଚ୍ଚିତ୍ର ରିଲିଜ ହେବାର ମାତ୍ର ଏକ ସପ୍ତାହ ମଧ୍ୟରେ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇ ନଥିଲେ।
ତେବେ ଏହି ଫିଲ୍ମର ଲୋକପ୍ରିୟତା ସାଙ୍ଗକୁ ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପାଇଁ ବିପଦ ବଢ଼ିଛି । ଯାହାକୁ ଦୃଷ୍ଟିରେ ରଖି ବିବେକ ଅଗ୍ନିହୋତ୍ରୀଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓ୍ବାଇ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପଶନ୍ ରିପୋର୍ଟକୁ ଆଧାର କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛି। ଅର୍ଥାତ୍ ବିବେକ ଅଗ୍ନିହୋତ୍ରୀ ଭାରତର ଯେଉଁ ସ୍ଥାନକୁ ଯିବେ ସେଠାକୁ ସିଆରପିଏଫ୍ ଯବାନ ମଧ୍ୟ ତାଙ୍କ ସାଙ୍ଗରେ ରହିବେ। ସୂଚନାଯୋଗ୍ୟ, ଓ୍ବାଇ ବର୍ଗର ସୁରକ୍ଷାରେ ମୋଟ ୮ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି। ଏଥିରେ ଯେଉଁ ଭିଆଇପିଙ୍କୁ ସୁରକ୍ଷା ଦିଆଯାଇଥାଏ, ତାଙ୍କ ଘରେ ୫ଟି ଆମର୍ଡ ଷ୍ଟାଟିକ ଗାର୍ଡ ଲଗାଯାଇଥାଏ। ଏଥିସହ ତିନୋଟି ସିଫ୍ଟରେ ୩ପିଏସ୍ଓ ସୁରକ୍ଷା ପ୍ରଦାନ କରାଯାଇଥାଏ।
Powered by Froala Editor