ଋଷ ଆକ୍ରମଣରେ ୟୁକ୍ରେନରେ ୬୧ ହସ୍ପିଟାଲ ଧ୍ୱଂସ
କିଭ: ଋଷର ଆକ୍ରମଣ ଫଳରେ ୟୁକ୍ରେନରେ ୬୧ଟି ହସ୍ପିଟାଲ ଧ୍ୱଂସ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନର ସ୍ୱାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି, ଋଷିୟା ସୈନ୍ୟଙ୍କ ଆକ୍ରମଣରେ ୬୧ଟି ହସ୍ପିଟାଲ ଧ୍ୱଂସ ହୋଇଯାଇଛି । ହସ୍ପିଟାଲ ବିଲ୍ଡିଂ ସହ ଅନେକ ମୂଲ୍ୟବାନ ଉପକରଣ ମାଟିରେ ମିଶିଯାଇଛି ।
ସେପଟେ, ଋଷ-ୟୁକ୍ରେନ ଯୁଦ୍ଧର ୧୩ ଦିନ ପରେ ବଦଳିଛି ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱର । ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ଚାହୁଁ ନାହିଁ । ଏକ ଟେଲିଭିଜନକୁ ସାକ୍ଷାତକାର ଦେଇ ଏହି ବଡ ବୟାନ ଦେଇଛନ୍ତି ଜେଲେନସ୍କି । ୟୁକ୍ରେନର ନାଟୋ ସମ୍ପର୍କ ନେଇ ବାରମ୍ବାର ଆପତି ଉଠାଇ ଆସୁଥିଲା ଋଷ୍ । ନାଟୋ ଦେଶରେ ୟୁକ୍ରେନ ସାମିଲ ହେବା ପାଇଁ ଆବେଦନ କରିବା ପରେ ୠଷ୍-ୟୁକ୍ରେନ ବିବାଦ ତେଜିଥିଲା ।
ତେବେ ଋଷର ବିରୋଧକୁ ଖାତିର ନକରି ନାଟୋ ସହ ସମ୍ପର୍କ ସହ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ ଜେଲେନସ୍କି । ହେଲେ ସେ ଏବେ ସେହି ଜିଦରୁ ଓହରି ଯାଇଛନ୍ତି । ଅର୍ଥାତ୍ ପରୋକ୍ଷରେ ରୁଷ ସହ ବୁଝାମଣା କରିବାକୁ ସିଧା ସଳଖ ସଙ୍କେତ ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ନାଟୋ ୟୁକ୍ରେନକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । କାରଣ ୟୁକ୍ରେନ ପାଇଁ ବିବାଦରେ ପଶିବାକୁ ନାଟୋ ଚାହୁଁ ନାହିଁ ଓ ୠଷ ସହ ମୁହାଁମୁହିଁ ହେବାକୁ ମଧ୍ୟ ଭୟ କରୁଛି । ଏହା ଜାଣିବା ପରେ ସେ ନାଟୋ ସଦସ୍ୟ ହେବାକୁ ଚାହୁଁନଥିବା କହିଛନ୍ତି ଜେଲେନସ୍କି ।
Powered by Froala Editor