ଗୋଟିଏ ଫିଲ୍ମ ଦେଖିବାକୁ ୩୬ ଦିନ ଦରକାର, ଜାଣନ୍ତୁ ଏହି ଫିଲ୍ମ ବିଷୟରେ...
ଗୋଟିଏ ଫିଲ୍ମ ଦେଖିବାକୁ ୩୬ ଦିନ ଦରକାର । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ! କିନ୍ତୁ ଏହା ସତ ଯେ, ଏମିତି ଏକ ଫିଲ୍ମ ଅଛି ଯାହା ୮୫୭ ଘଣ୍ଟା । ଏହି ଫିଲ୍ମକୁ ବିଶ୍ୱର ସବୁଠୁ ଦୀର୍ଘତମ ଫିଲ୍ମ କୁହାଯାଉଛି । ଫିଲ୍ମର ନାଁ ‘ଲଜିଷ୍ଟିକ୍ସ’ । ଫିଲ୍ମଟି ମାତ୍ରାଧିକ ଲମ୍ବା ହୋଇଥିବା ହେତୁ ଲୋକମାନେ ବିରକ୍ତ ହୋଇ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ଏହାର ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ଇଣ୍ଟରନେଟରେ ଉପଲବ୍ଧ।
ସ୍ବିଡିସ୍ ଭାଷାରେ ନିର୍ମିତ ଏହି ଫିଲ୍ମଟି ୮୫୭ଘଣ୍ଟା ଲମ୍ବା। ଏହି ଚଳଚ୍ଚିତ୍ରଟିକୁ ପରୀକ୍ଷାମୂଳକ ଏବଂ ଅଣପାରମ୍ପରିକ ଭାବେ ୨୦୧୨ ମସିହାରେ ସ୍ବିଡେନ୍ର ଏରିକା ମାଗ୍ନୁସନ୍ ଏବଂ ଡାନିଏଲ ଆଣ୍ଡରସନ ନିର୍ମାଣ କରିଥିଲେ। ଆଧୁନିକ ଯନ୍ତ୍ରପାତି ଥିବା ବଡ଼ ବଡ଼ ଲୁହା କଣ୍ଟେନର୍ଗୁଡ଼ିକୁ ଜାହାଜ ଦ୍ବାରା ଜଳପଥରେ ପରିବହନ କରି କିପରି ଲକ୍ଷ୍ୟସ୍ଥଳରେ ପହଞ୍ଚାଯାଉଛି ସେହି ବିଷୟବସ୍ତୁ ଉପରେ ଲଜିଷ୍ଟିକ୍ସ ଫିଲ୍ମଟି ଆଧାରିତ। ସ୍ବିଡେନର ରାଜଧାନୀ ଷ୍ଟକ୍ହୋମ ଠାରୁ ଚାଇନାର ବାଓଆନ୍ ସହରର ଏକ କାରଖାନା ପର୍ଯ୍ୟନ୍ତ କଣ୍ଟେନର୍ଗୁଡ଼ିକର ପରିବହନ କରାଯାଉଥିବାର ଦୃଶ୍ୟକୁ ଏଥିରେ ଚିତ୍ରଣ କରାଯାଇଛି।
Powered by Froala Editor