କୁଆଡେ ଯାଇନାହାଁନ୍ତି ଜେଲେନସ୍କି, ନିଜ ଦେଶରେ ଅଛନ୍ତି
କ୍ୱିଭ: ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ବାରମ୍ବାର ରକେଟ ମାଡ କରାଯାଉଛି । ଗୋଟିଏ ପଟେ ଋଷିଆ ଲଗାତାର ଭାବେ ଦାବି କରିଆସୁଛି ଯେ, ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି ନିଜ ଦେଶ ଛାଡି ପୋଲାଣ୍ଡକୁ ପଳାଇଛନ୍ତି । ହେଲେ ଏହାକୁ ୟୁକ୍ରେନ ସରକାର ଖଣ୍ଡନ କରି ଆସୁଛି । ଏସବୁ ଭିତରେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ ଜେଲେନସ୍କିଙ୍କ ଠିକଣାର ଖୁଲାସା କରିଛନ୍ତି । ଏଥିସହ ଜେଲେନସ୍କି ରହିଥିବା ସ୍ଥାନରେ ରୁଷର ପରମାଣୁ ଅସ୍ତ୍ର ମଧ୍ୟ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କି ଏବେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ କ୍ୱିଭ୍ରେ ହିଁ ଅଛନ୍ତି । କ୍ୱିଭରେ ଥିବା ଗୋଟିଏ ଅତି ସୁରକ୍ଷିତ ବଙ୍କର ମଧ୍ୟରେ ସେ ରହିଛନ୍ତି । ଏହି ବଙ୍କରଟି ଏତେ ଶକ୍ତିଶାଳୀ ଯେ ପରମାଣୁ ବୋମା ମଧ୍ୟ ଏହାର କୌଣସି ପ୍ରକାରର କ୍ଷତି କରିପାରିବ ନାହିଁ ।
ଋଷ ଜାଣିଶୁଣି ଲୋକ ଓ ସେନା ଯବାନଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାରୁ ଅପ୍ରଚାର କରୁଛି । ଜେଲେନସ୍କି ପୂର୍ବଭଳି ୟୁକ୍ରେନରେ ରହିଛନ୍ତି । ଆଗକୁ ମଧ୍ୟ ସେ ଏହିଠାରେ ରହିବେ ବୋଲି ଅଜରୋଭ କହିଛନ୍ତି । ଅନ୍ୟପକ୍ଷରେ ଋଷ ଆକ୍ରମଣ କରିବା ଦିନ ଠାରୁ ଇତି ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୩ ଥର ଉଦ୍ୟମ ହୋଇ ସାରିଥିବା ଗତକାଲି ଖବର ପ୍ରକାଶ ପାଇଥିଲା । ଋଷ ସମର୍ଥନରେ ଦୁଇଟି ଗ୍ରୁପର ସଦସ୍ୟ ଜେଲେନସ୍କିଙ୍କୁ ହତ୍ୟା କରିବାକୁ ପ୍ରୟାସ କରିଥିଲେ । ହେଲେ ୠଷର ଗୁଇନ୍ଦା ବିଭାଗରେ ଥିବା ଯୁଦ୍ଧ ବିରୋଧୀ ଅଧିକାରୀଙ୍କ ସୂଚନା ବଳରେ ୟୁକ୍ରେନ ସୁରକ୍ଷାକର୍ମୀମାନେ ଏହି ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି । ତଥାପି ତାଙ୍କ ଜୀବନ ଉପରୁ ବିପଦ ଏବେ ବି ଟଳିନଥିବାରୁ ସେ ବଙ୍କର ଭିତରେ ରହିଥିବା କହିଛନ୍ତି ।
Powered by Froala Editor