ଭୟରେ ଥରହର ସାଧାରଣ ଜନତା : ଋଷ ବୋମାମାଡ଼ରେ ଟଳିପଡ଼ିଲା ୭ ବର୍ଷର ଶିଶୁ
ୟୁକ୍ରେନ୍ ଓ ଋଷିଆରେ ଯୁଦ୍ଧ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଋଷିଆ ତୃତୀୟ ଦିନରେ ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍ ରାଜଧାନୀ କିବ୍ ଅକ୍ତିଆର କରିବା ଋଷିଆର ପ୍ରମୁଖ ଲକ୍ଷ୍ୟ ରହିଛି। ଏହାରି ଭିତରେ ଋଷ ସେନା ୟୁକ୍ରେନର ପୂର୍ବ ଇଲାକାରେ ବଡ ଧରଣ ଆକ୍ରମଣ କରିଛି। ଏଠାରେ ଥିବା ସୁମି ସହରରେ ରେକଟ୍ ମାଡ କରିଛି ରୁଷ ସେନା। ଏହି ରକେଟ୍ ମାଡରେ ୟୁକ୍ରେନର ଜଣେ ୭ ବର୍ଷର ଶିଶୁ ଟଳି ପଡିଛି। ଏଥିସହ ଆଉ ୫ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
କିଛିଦିନ ତଳେ ୟୁକ୍ରେନରେ ଜଣେ ବ୍ୟକ୍ତି ରାସ୍ତାରେ ସାଇକେଲ ନେଇ ଯାଉଥିବା ବେଳେ ତାଙ୍କ ଉପରେ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ସେ ରାସ୍ତାରେ ଟଳି ପଡ଼ିଥିବାର ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଥିଲା।
ରବିବାର ୟୁକ୍ରେନ୍ର ଗଭର୍ଣ୍ଣର ଦିମିତ୍ରି ଜିଭିତ୍ସକି କହିଛନ୍ତି, ଋଷିଆରେ ଗୁଳିମାଡ ଜାରି ରହିଛି। ଏଥିରେ ୭ ବର୍ଷର ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଜାତିସଙ୍ଘ ଦାବି କରିଛି ଯେ, ଋଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୬୪ ଜଣ ପ୍ରାଣ ହରାଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଋଷ ଆକ୍ରମଣରେ ୟୁକ୍ରେନର ଅବସ୍ଥା ବେଶ୍ ଭୟାବହ ହୋଇପଡିଛି। ୟୁକ୍ରେନ୍ ସହ ଆଲୋଚନା କରିବା ପାଇଁ ଋଷ ସିଧାସଳଖ ମନା କରିଦେଇଛି।
Powered by Froala Editor