ପକ୍ଷୀର ମାନବିକ ପ୍ରତିକ୍ରିୟା
ନିଉଜଲାଣ୍ଡର ଦକ୍ଷିଣ ଦ୍ୱୀପ ଅନ୍ତର୍ଗତ ଆଲପାଇନ ଜଙ୍ଗଲରେ ଦେଖିବାକୁ ମିଳୁଥିବା ‘କିଆ’ ଶୁଆମାନେ ଏଭଳି କୌତୁକିଆ ପକ୍ଷୀ, ଯେଉଁମାନେ ମଣିଷ ପରି ପରସ୍ପରକୁ କୁତୁକୁତୁ କରି ଥଟାମଜା କରିଥାନ୍ତି । ମନୁଷ୍ୟ ବ୍ୟତୀତ ମୂଷା ଓ ସିପାଞ୍ଜିଙ୍କ ପରି ଅନ୍ୟ ସ୍ତନ୍ୟପାୟୀମାନେ ଯେଭଳି ପରସ୍ପର ଭିତରେ ଭାବ ଆଦାନ ପ୍ରଦାନ କରି ଖୁସି ମନାଇଥାନ୍ତି, ବିଲୁପ୍ତପ୍ରାୟ ହେବାକୁ ବସିଥିବା ଏହି କିଆ ଶୁଆ ମଧ୍ୟ ଅନ୍ୟତମ ପ୍ରାଣୀ ଯିଏ ଅନୁରୂପ ବ୍ୟବହାର ଦେଖାଇଥାଏ । ଗୋଟିଏ କିଆ ଗଛ ଡ଼ାଳରେ ବସି ଖୁସିରେ ରାବୁଥିବା ବେଳେ ତାହାର ଶବ୍ଦ ଶୁଣି ଅନ୍ୟ କିଆ ମାନେ ମଧ୍ୟ ପାଖକୁ ଆସି ଅନୁରୂପ କଣ୍ଠ ସ୍ୱର ଛାଡ଼ି ଖୁସି ପ୍ରଦର୍ଶନ କରିଥାଆନ୍ତି । ଦୈନନ୍ଦିନ ଖାଦ୍ୟ ସଂଗ୍ରହ ଓ ବସାରେ ବିଶ୍ରାମ ନେବା ଭିତରେ ସେମାନଙ୍କର ଖେଳିବାକୁ ଇଚ୍ଛା ହେଲେ ସେମାନେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ସ୍ୱର କରିଥାନ୍ତି । ତାହାକୁ ଶୁଣି ଅନ୍ୟ ଶୁଆ ମାନେ ମଧ୍ୟ ଖେଳକୁଦରେ ମାତିଥାଆନ୍ତି ।
ଏପରିକି ସେମାନେ ଏକୁଟିଆ ଥିବା ବେଳେ ମନକୁ ମନ ଯେତିକି ଖେଳକୁଦରେ ବିତେଇଥାନ୍ତି ଅନ୍ୟ କିଆର ଡ଼ାକ ଶୁଣିଲେ ସେମାନେ ସେଠାରେ ପହଞ୍ଚି ଅଧିକ ସମୟ ଖେଳରେ ବିତାଇଥାନ୍ତି । କେବଳ ସେତିକି ନୁହେଁ, ପ୍ରଥମେ ରାବ କରି ଡ଼ାକିଥିବା କିଆ ଯେଉଁ ପ୍ରକାରର ଖେଳିଥାଏ, ଅନ୍ୟମାନେ ତା ପାଖରେ ପହଞ୍ଚି ତାକୁ ଅନୁକରଣ କରନ୍ତି । ବେଳେବେଳେ ସେମାନେ ନଖ ଓ ଥଣ୍ଟରେ ପରସ୍ପରକୁ ରାମ୍ପୁଡ଼ି କୁତୁକୁତୁ କରି ଅଧିକ ସୁମଧୁର ସ୍ୱର ବାହାର କରିଥାନ୍ତି ଯାହା ସେମାନଙ୍କ ଖୁସିର ସଙ୍କେତ ବୋଲି ପକ୍ଷୀ ବିଶାରଦମାନେ ଜାଣି ପାରିଛନ୍ତି ।
Powered by Froala Editor