ଓଡିଶାରେ ୯୮% ଓମିକ୍ରନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାରି ଭିତରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି। ଆଇଏଲଏସ୍ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ନୂଆ ତଥ୍ୟ। ଓଡ଼ିଶାରେ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୮ ପ୍ରତିଶତ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି। ଆଇଏଲଏସ୍ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ଏହି ସୂଚନା ।
ଜାନୁୟାରୀ ୨୭ରୁ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୁନା ସଂଗ୍ରହ କରାଯାଇଥିଲା। ଆଇଏଲ୍ଏସ୍ ପକ୍ଷରୁ ଏହି ସବୁ ନମୁନାର ସିକ୍ୱେନ୍ସିଂ କରାଯାଇଥିଲା। ସେଥିମଧ୍ୟରୁ ୬ଟି ନମୁନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।
ଗଞ୍ଜାମ ଜିଲ୍ଲାରେ ୪୭ଟି ନମୁନାରୁ ୪୭ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଉକ୍ତ ଜିଲ୍ଲାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଶତପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ । ତା’ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ଜିନମ ସିକ୍ୱେନ୍ସିଂ କରାଯାଇଥିବା ୪୯ଟି ନମୂନାରୁ ୪୫ ଜଣ ଓମିକ୍ରନ୍ ସଂକ୍ରମିତ ରହିଛି। ଅବଶିଷ୍ଟ ୪ ଜଣଙ୍କ ଜିନମ୍ ସିକ୍ୱେନ୍ସିଂରୁ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି । ସେହିପରି କଟକରେ ମଧ୍ୟ ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ନିଦେ୍ର୍ଧଶକ ଅବଗତ କରିଛନ୍ତି ।
ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସିଦ୍ଧାର୍ଥ ଗୁରୁ କହିଛନ୍ତି, ଏହା ଭଲ ଯେ, ଆମେ ଡେଲଟା ସଂକ୍ରମଣରୁ ମୁକୁଳି ଆସିଲେଣି। ବର୍ତ୍ତମାନ ପରିସ୍ଥିତିରେ ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି, ସେମାନେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ବୋଲି ଧରାଯିବ । ଏହା ଲୋକଙ୍କୁ ବେଶି ଗୁରୁତର କରୁ ନ ଥିବାରୁ ସମ୍ଭବତଃ ମାର୍ଚ୍ଚ ମାସରୁ ଆମେ ସ୍ୱାଭାବିକ ଜୀବନଯାତ୍ରା କରିପାରିବା ବୋଲି ସେ କହିଛନ୍ତି।
Powered by Froala Editor