ବିଜେପିରେ ଯୋଗ ଦେଲେ ଦି ଗ୍ରେଟ ଖଲି

କୁସ୍ତିଯୋଦ୍ଧା ଦଲିପ ସିଂ ରାଣା ଓରଫ ଦି ଗ୍ରେଟ ଖଲି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଆଜି ନୂଆଦିଲ୍ଲୀସ୍ଥିତି ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ବିଜେପିର ଜାତୀୟ ମହାସଚିବ ଅରୁଣ ସିଂଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗଦେବା ପରେ ଖଲି କହିଛନ୍ତି ଯେ, ବିଜେପିରେ ଯୋଗ ଦେଇ ସେ ନିଜକୁ ଭଲ ଅନୁଭବ କରୁଛନ୍ତି। କୌଣସି ଏଭଳି ଦେଶ ବାକି ନାହିଁ ଯେଉଁଠାରେ ମୁଁ କୁସ୍ତି କରି ନାହିଁ। ଯଦି ମୁଁ ଟଙ୍କା ରୋଜଗାର କରିବାକୁ ଚାହେଁ, ତେବେ ମୁଁ ଆମେରିକାରେ ରହିଥା’ନ୍ତି। କିନ୍ତୁ ମୁଁ ଭାରତକୁ ଆସିଛି କାରଣ ମୋର ଦେଶ ପ୍ରତି ଅହେତୁକ ଭଲପାଇବା ଅଛି। ମୁଁ ଦେଖିଛି ଯେ ମୋଦିଙ୍କ ରୂପରେ ଦେଶ ଜଣେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପାଇଛି। ଏଥିପାଇଁ ମୁଁ ଭାବିଲି ଦେଶରେ ରହି, ଏକାଠି ହୋଇ ଦେଶକୁ ଆଗକୁ ନେବାରେ ସହଯୋଗ କରିବି।’ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ଖଲି କହିଛନ୍ତି।
ଏହି ଅବସରରେ ଅରୁଣ ସିଂ କହିଛନ୍ତି ଯେ ଗ୍ରେଟ ଖଲି ବିଶ୍ବରେ ଭାରତ ପାଇଁ ଗୌରବ ଆଣିଛନ୍ତି । ସେ ଅନେକ ପ୍ରସିଦ୍ଧ କୁସ୍ତିଯୋଦ୍ଧାଙ୍କୁ ହରାଇଛନ୍ତି । ସେ ମଧ୍ୟ ଜଣେ କୃଷକଙ୍କ ପୁତ୍ର ଓ ପଞ୍ଜାବ ପୁଲିସର ଜଣେ ପୂର୍ବତନ ଅଧିକାରୀ । ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ସେ ଖଲିଙ୍କୁ ଧନ୍ୟବାଦ ଦେଇଛନ୍ତି ।
Powered by Froala Editor