‘ହିଜାବ’ ପରେ ତେଲେଙ୍ଗାନାରେ ବଢ଼ିଲା ‘ବୁର୍ଖା’ ବିବାଦ
କର୍ଣ୍ଣାଟକରେ ହିଜାବ ବିବାଦ ଥମିନଥିବାବେଳେ ତେଲଙ୍ଗାନାରେ ବୁର୍ଖାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସିକନ୍ଦରାବାଦରେ ଦିବ୍ୟାଙ୍ଗଙ୍କ ଲାଗି କାମ କରୁଥିବା ଏକ ସଂସ୍ଥା ମହିଳାଙ୍କୁ ବୁର୍ଖା ପିନ୍ଧି ଆସିବାକୁ ମନା କରିଛି । ଏନେଇ ଫାତିମା ନାମକ ଜଣେ ମହିଳା ଟ୍ୱିଟ୍ କରି ଲେଖିଛନ୍ତି, ‘ଫେବ୍ରୁଆରୀ ୫ରେ ମୌଖିକ ଭାବେ କୁହାଯାଇଥିଲା ସଂସ୍ଥା ପରିସରରେ ବୁର୍ଖା କିମ୍ବା ହିଜାବ ପିନ୍ଧିବାକୁ ଅନୁମତି ନାହିଁ । ତେଣୁ ସମସ୍ତ ମହିଳା କେବଳ ଶାଢ଼ି ପିନ୍ଧି ଆସିବେ ।’
ଫାତିମା ଆହୁରି ଲେଖିଛନ୍ତି, ‘ଅନୁଷ୍ଠାନରେ ଆଡମିଶନ ପୂର୍ବରୁ ମଧ୍ୟ ଫର୍ମରେ ୟୁନିଫର୍ମ ସ୍ତମ୍ଭ ଭରିବା ପାଇଁ ଆମକୁ ବାଧ୍ୟ କରାଯାଇଥିଲା। ଏଥିରେ କିନ୍ତୁ କୌଣସି ସ୍ଥାନରେ ଲେଖା ହୋଇନଥିଲା ଯେ ବୁର୍ଖା ହଟାଇବାକୁ ପଡିବ। କିନ୍ତୁ ବର୍ତ୍ତମାନ ଏହି ନୂଆ ନିୟମ ଆସିବା ପରେ ଆମକୁ କେହି ସମର୍ଥନ କରୁନାହାଁନ୍ତି।’
ସେ ଆହୁରି କହିଛନ୍ତି, ଫେବ୍ରୁଆରୀ ୮ ତାରିଖରେ ସଂସ୍ଥାରେ ଜଣେ କନିଷ୍ଠଙ୍କ ଠାରୁ ବୁର୍ଖା କାଢ଼ି ନିଆଯାଇଛି । ଏହାପରେ ଅନ୍ୟ ଶିକ୍ଷାର୍ଥୀ ସଂସ୍ଥାକୁ ଯିବା ବନ୍ଦ କରି ଦେଇଛନ୍ତି । ଏହି ଆଦେଶ ପରେ ଅନେକ ଯୁବତୀ ଆଉ ସଂସ୍ଥାକୁ ଯାଉ ନାହାଁନ୍ତି ।
କର୍ଣ୍ଣାଟକର ଉଡୁପି ଠାରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ସେଠାରେ କିଛି ମୁସଲମାନ ଝିଅ ଦାବି କରୁଛନ୍ତି ଯେ ସେମାନଙ୍କୁ ଶିକ୍ଷାନୁଷ୍ଠାନର ୟୁନିଫର୍ମ ସହିତ ହିଜାବ ପିନ୍ଧିବାକୁ ଦିଆଯାଉ। ଏହାକୁ ନେଇ ବିବାଦ ଲାଗିରହିଛି ।
Powered by Froala Editor