ଚାଲିଗଲେ ମହାଭାରତର ‘ଭୀମ’

ବି.ଆର ଚୋପ୍ରାଙ୍କ ସିରିଏଲ ମହାଭାରତର ଭୀମ ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ପ୍ରବୀଣଙ୍କର ୭୪ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିବା ଜଣାଯାଇଛି। ଲତାଙ୍କ ନିଧନ ଦୁଃଖରୁ ଦେଶବାସୀ ବାହାରି ନଥିବାବେଳେ ମହାଭାରତର ଭୀମଙ୍କ ପରଲୋକ ଖବରକୁ ନେଇ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି ।
ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ନିଜର ଶକ୍ତିଶାଳୀ ଶରୀର ଆଧାରରେ କ୍ରୀଡାବିତ୍ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖେଳାଳି ଭାବରେ କ୍ୟାରିୟର ଆରମ୍ଭ କରିବା ପରେ ପ୍ରବୀଣ କୁମାର ବଲିଉଡକୁ ମୁହାଁଇଥିଲେ । ସେ ବଲିଉଡରେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । କିନ୍ତୁ ବି. ଆର ଚୋପ୍ରାଙ୍କ ମହାଭାରତ ତାଙ୍କୁ ସର୍ବାଧିକ ମାନ୍ୟତା ଦେଇଥିଲା । ଯେଉଁଥିରେ ସେ ଭୀମ ଭୂମିକାରେ ଅଭିନୟ କରିଥିଲେ। ଶକ୍ତିଶାଳୀ ଶରୀର ହେତୁ ପ୍ରବୀଣ କୁମାରଙ୍କୁ ଭୀମ ଭୂମିକାରେ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ସେ ଦୀର୍ଘଦିନ ଧରି ଅସୁସ୍ଥତା ଏବଂ ଆର୍ଥିକ ସଙ୍କଟ ସହ ଲଢ଼ୁଥିଲେ । ଶେଷରେ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର ଭୀମ ।
ସୂଚନା ଯେ, ସେ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଶେହନଶାହ’ ସହିତ ‘କରିସ୍ମା ଖୁଦରତ କା’, ‘ଯୁଦ୍ଧ’, ‘ଜବରଦସ୍ତ’, ‘ସିଂହାସନ’, ‘ଖୁଦଗର୍ଜ’, ‘ଲୋହା’, ‘ମୋହବତକେ ଦୁଶମନ’ ଏବଂ ‘ଇଲାକା’ ଆଦି ବହୁ ଚଳଚ୍ଚିତ୍ରରେ ସହ ଅଭିନେତା ଭାବେ ଅଭିନୟ କରିଥିଲେ। ଏହାବାଦ୍ କିଛି ସିରିଏଲରେ ବି ସେ ନଜର ଆସିଛନ୍ତି ।
Powered by Froala Editor