ସୋମବାର ଠାରୁ ଖୋଲିବ ସ୍କୁଲ ଓ ଜିମ ସେଣ୍ଟର

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ଗୁଡିକ କଟକଣା ହଟାଇବା ଆରମ୍ଭ କରିଛନ୍ତି । ବିଶେଷ କରି ଦୀର୍ଘ ୨ ବର୍ଷ ହେଲା ପିଲାଙ୍କ ପାଠ ପଢାରେ ଡୋରୀ ବନ୍ଧା ହେଇଛି । ସେଥିପାଇଁ ଛୋଟ ପିଲାମାନଙ୍କ ପାଇଁ ରାଜ୍ୟ ସରକାରମାନେ କଟକଣା ହଟାଉଛନ୍ତି ।
ଓଡିଶା ଭଳି ଦିଲ୍ଲୀ ସରକାର ମଧ୍ୟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ନାଇଟ କର୍ଫୁ୍ୟ ସମୟକୁ ଆଉ ଏକ ଘଣ୍ଟା କୋହଳ କରିଛନ୍ତି । ଏଣିକି ଦିଲ୍ଲୀରେ ରାତି ୧୧ଟାରୁ ଭୋର ୫ଟା ଯାଏ କର୍ଫୁ୍ୟ ଲାଗିବ ।
ସଂକ୍ରମଣ ହ୍ରାସ ପାଉଥିବାରୁ ଆଜି ଦିଲ୍ଲୀ ସରକାର ବୈଠକ କରିଥିଲେ । ଏହାପରେ ସ୍କୁଲ, କଲେଜ, ଜିମ ଓ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ସୂଚନା ଅନୁଯାୟୀ, ସୋମବାର ଠାରୁ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସେହିପରି ୧୪ ଫେବୃଆରୀ ଠାରୁ ନର୍ସରୀ ଓ ୮ମ ଶ୍ରେଣୀର ପିଲାମାନଙ୍କ ସ୍କୁଲ କ୍ଲାସ ଆରମ୍ଭ ହେବ । ୭ ତାରିଖରୁ ସମସ୍ତ କଲେଜ ଖୋଲିବ । କଲେଜ କର୍ତ୍ତୃପକ୍ଷଙ୍କୁ ଅନଲାଇନ ବଦଳରେ ଅଧିକ ଅଫଲାଇନ କ୍ଲାସ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ତେବେ ସବୁ ଶିକ୍ଷାନୁଷ୍ଠାନରେ କରୋନା କଟକଣା, ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିବ ।
ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜାରି କରିଥିବା ଗାଇଡଲାଇନରେ କହିଛି ଯେ ସ୍କୁଲ ଖୋଲିବାକୁ ଥିଲେ ମଧ୍ୟ ଟିକା ନେଇ ନଥିବା ଶିକ୍ଷକଙ୍କୁ କ୍ଲାସ କରିବାର ଅନୁମତି ମିଳିବ ନାହିଁ । ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ । ଏହା ସହିତ ଜିମ ଓ ସୁଇମିଂ ପୁଲ କରୋନା କଟକଣା ମଧ୍ୟରେ ଚାଲିବ ବୋଲି ସୂଚନା ମିଳିଛି ।
Powered by Froala Editor