ପୁଣି ଦନ୍ତା ଆତଙ୍କ, ୫ବର୍ଷର ପୁଅ ମୃତ, ବାପା ଗୁରୁତର
କାମାକ୍ଷାନଗର: ଦିନକୁ ଦିନ ଏକ ଅତଙ୍କରାଜ ସୃଷ୍ଟି କରିଛି ହାତୀ । ଜଙ୍ଗଲ ଛାଡ଼ି ଜନଗହଳି ମୁହାଁ ହେଉଛନ୍ତି ହାତୀପଲ । ଏହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ଜନସାଧାରଣଙ୍କ କ୍ଷେତ୍ରରେ । ହାତୀ ଫସଲ ଖାଇ ଘରଦ୍ୱାର ଭାଙ୍ଗିବା ପର୍ଯ୍ୟନ୍ତ କଥାସରିନାହିଁ । ଏବେ ଜନ ଜୀବନ ହାନୀ ଘଟୁଛି । ହାତୀ ଯୋଗୁଁ ଦିନକୁ ଦିନ ବଢ଼ିବାରେ ଲାଗିଛି ମୃତୁ୍ୟ ସଂଖ୍ୟା । ଏବେ ଏକ ହୃଦୟ ବିଦାରକ ଦୃଶ୍ୟ ସାରା ଅଞ୍ଚଳକୁ ଥରାଇ ଦେଇଛି । ବାପ-ପୁଅଙ୍କୁ ଦଳିଦେଲା ଦନ୍ତା। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ରାତିରେ ଶୋଇଥିବାବେଳେ ଦଳିଦେଲା ହାତୀ। ମୃତ ଶିଶୁପୁତ୍ର ତୁମୁସିଙ୍ଗା ଥାନା ମହୁଲଡଗର ଗାଁର ରସାନନ୍ଦ ଜେରେଇଙ୍କ ୫ ବର୍ଷର ପୁଅ ରିଶି ଜେରେଇ। ବାପା ରସାନନ୍ଦ ଗୁରୁତର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ଗତକାଲି ରାତିରେ ରାସନନ୍ଦଙ୍କ ପରିବାର ଖାଇସାରି ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ଘର ଭାଙ୍ଗି ଆକ୍ରମଣ କରିଥିଲା। ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଡରେ ଧରି କଚାଡି ଦେଇଥିଲା ଏବଂ ପରେ ୫ ବର୍ଷର ଶିଶୁପୁତ୍ରକୁ ଦଳିଦେଇଥିଲା।
ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୫ ବର୍ଷର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ। ରସାନନ୍ଦଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାରମ୍ବାର ହାତୀ ଆକ୍ରମଣ କରୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।
Powered by Froala Editor