ମନ୍ଦିର ଭିତରୁ ଉଦ୍ଧାର ହେଲା ମୟୁର
କଟକ ସହର ମଧ୍ୟ ଭାଗରେ ଥିବା ପିଠା ପୁର ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ବଡ଼ ପଞ୍ଜୁରୀ ଭିତରେ ଏକ ମୟୁର କୁ ବନ୍ଦୀ କରି ରଖାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିଟି ଫରେଷ୍ଟ ଡିଭିଜନ ତରଫରୁ ଆଜି ସକାଳୁ ଚଢ଼ାଉ କରି ଏକ ପ୍ରାପ୍ତ ବୟସ୍କ ଅଣ୍ଡିରା ମୟୁର କୁ ଉଦ୍ଧାର କରାଯାଇଛି । ଆଜିର ଏଇ ଚଢ଼ାଉ ରେ କଟକ ରେଞ୍ଜ ଅଫିସର ଦୁର୍ଗା ଚରଣ ସାହୁ ଓ ତାଙ୍କର ଟିମ ସହିତ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, ଜାତୀୟ ପକ୍ଷୀ ମୟୁର ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, 1972 ଅନୁଯାୟୀ ସର୍ବାଧିକ ସୁରକ୍ଷା ପ୍ରାପ୍ତ ପକ୍ଷୀ । ଏଇ ପକ୍ଷୀ କୁ ତଫସିଲ ୧ ଅନ୍ତର୍ଭୁକ୍ତ କରାଯାଇଛି । କୌଣସି ବ୍ୟକ୍ତି ମୟୁର କୁ ପଞ୍ଜୁରୀ ଭିତରେ ବନ୍ଦୀ କରି ରଖି ପାରିବେ ନାହିଁ । ଏହା କଲେ ଆଇନ ଅନୁସାରେ 7 ବର୍ଷ ଯାଏଁ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ, କଟକ ରେ ମନ୍ଦିର ଭିତରେ ଥିବା ବନ୍ଦୀ ମୟୁର ପାଇଁ ଏଯାବତ କାହାକୁ ଗିରଫ କରାଯାଇନାହିଁ । ତେବେ, ଅନୁସନ୍ଧାନ ଚାଲିଛି, ତଦନ୍ତ ରୁ ଯାହା ବାହାରିବ ସେଇ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ନିକଟରେ କଟକ ରେ କୋକୋ ନାମକ ଏକ ଶୁଆ ପଞ୍ଜୁରୀ ଭିତରୁ ଉଡିଯିବା, ତାର ମାଲିକାଣୀ ନିଖୋଜ ପୋଷ୍ଟର ମାରିବା, କୋକୋ ବଦଳରେ ଆଉ ଏକ ଶୁଆ କୁ ପୁଣି ପଞ୍ଜୁରୀରେ ରଖିବା, ଏବଂ ଶେଷରେ ବନ ବିଭାଗ ତାକୁ ଜବତ କରିବା ଘଟଣା ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ।
ଆଜି ଉଦ୍ଧାର କରାଯାଇଥିବା ମୟୁର ଟିକୁ ତାର ସ୍ୱାଭାବିକ ବ୍ୟବହାର ଫେରି ପାଇବା ପାଇଁ ପ୍ରାୟ 40 ଫୁଟ ଲମ୍ବ, ୨୫ଫୁଟ ଚଉଡ଼ା, ୧୫ଫୁଟ ଉଚ୍ଚ ଆକାରର ବଡ଼ ଜାଲି ଭିତରେ ଭୁବନେଶ୍ୱର ପାତ୍ରପଡା ସ୍ଥିତ ମେଡିସିନାଲ ଗାର୍ଡେନ ରେ ରଖା ରଖାଯାଇଛି । ମୟୁରଟି ସ୍ୱାଭାବିକ ଭାବରେ ଚଳ ପ୍ରଚଳି କରି ଖାଦ୍ୟ ସଂଗ୍ରହ କରିବା ଶିଖିବା ସେଇ ଗାର୍ଡେନ ଭିତରେ ଖୋଲାରେ ବୁଲିବାକୁ ଛଡାଯିବ ।
Powered by Froala Editor