ବିକ୍ରି ହେଲା ନୀଳାଚଳ ଇସ୍ପାତ, ଧାର୍ଯ୍ୟଠୁ ଅଧିକ ମୂଲ୍ୟରେ କିଣିଲା ଟାଟା

ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲି. କଳିଙ୍ଗନଗରରେ ଅବସ୍ଥିତ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମକୁ ହାତେଇ ନେଇଛି। ଏହି କମ୍ପାନୀକୁ ୧୨ ହଜାର ଏକ ଶହ କୋଟି ଟଙ୍କାରେ କିଣିନେଇଛି ଟାଟା ଷ୍ଟିଲ୍ । ଟାଟା ୧୨ ହଜାର ୧ଶହ କୋଟି ଟଙ୍କା ବିଡ୍ ପକାଇଥିଲା, ଯାହାକୁ ଗ୍ରହଣ କରାଯାଇଥିବା ନେଇ କେନ୍ଦ୍ର ସରକାରଙ୍କ ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ୍) ପକ୍ଷରୁ ସୂଚନା ଦିଆଯାଇଛି।
କ୍ରମାଗତ କ୍ଷତିରେ ଚାଲିବା ପରେ ଦୁଇବର୍ଷ ତଳୁ ବନ୍ଦ ପଡ଼ିଥିବା ନୀଳାଚଳର ବିଡିଂ ଡିସେମ୍ବର ୨ ରୁ ୨୩ ତାରିଖ ମଧ୍ୟରେ ପକାଇବା ପାଇଁ ଆହ୍ୱାନ କରାଯାଇଥିଲା। ଡିଆଇପିଏଏମ୍ ତରଫରୁ ଗତ ଜାନୁଆରି ୨୫ ତାରିଖ ଦିନ ବିଡିଂ ଖୋଲାଯାଇଥିଲା। ଏଥିରେ ଟାଟା ଲଙ୍ଗ ପ୍ରଡକ୍ଟ, ଜେଏସ୍ଡବ୍ଲ୍ୟୁ, ଜେଏସ୍ପିଏଲ୍ ଅଂଶଗ୍ରହଣ କରିଥିଲେ। ନୀଳାଚଳକୁ ବିକ୍ରି ନିମନ୍ତେ ଯେଉଁ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା, ତା’ଠାରୁ ଅଧିକ ମୂଲ୍ୟ ଦେଇ ଟାଟା ବିଡର ହେଇଛି। କେନ୍ଦ୍ର ସରକାର ତରଫରୁ ନୀଳାଚଳ ଅଧିଗ୍ରହଣ ବିଷୟରେ ଘୋଷଣା କରାଯିବା ପରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି।
ତେବେ ନୀଳାଚଳ ଇସ୍ପାତରେ ଓଡ଼ିଶା ସରକାରଙ୍କ କମ୍ପାନୀର ଅଂଶଧନ ରହିଥିଲା । ବିକ୍ରି ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଥିବା ଜଣାପଡ଼ିଛି । ଏନେଇ ଡିଆଇପିଏମ୍ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
Powered by Froala Editor