ପୁଣି ୱୁହାନ୍ ଫେରିବାକୁ ଚାହୁଁଛନ୍ତି ଭାରତର ପ୍ରଥମ କରୋନା ଆକ୍ରାନ୍ତ

କୋଚି: ଭାରତରେ କରୋନା ସଂକ୍ରମଣକୁ ଦୁଇ ବର୍ଷ ପୂରିଗଲାଣି । କେରଳରେ ୨୦୨୦ ଜାନୁଆରୀ ୩୦ରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ନେଇ ଦେଶବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ପ୍ରତିଦିନ ୨ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଥିଲେ ହେଁ ଲୋକଙ୍କ ମଧ୍ୟରେ ଭୟ ନାହିଁ ।
କେରଳରେ ଜଣେ ଡାକ୍ତରୀ ଛାତ୍ରୀ ପ୍ରଥମ ଭାରତୀୟ ଭାବେ କରୋନା ଆକ୍ରାନ୍ତ ହୋଇଥିଲେ । କରୋନାର ଉପôତ୍ତି ସ୍ଥଳ ଚୀନର ୱୁହାନ ସହରରୁ ସେ କରୋନା ଭୂତାଣୁ ସହ ଭାରତ ଫେରିଥିଲେ । ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧ କରାଯାଇଥିଲା । ଚାହୁଁ ଚାହୁଁ ସାରା ଦେଶକୁ ଏହି ଘାତକ କରୋନା ମାଡିଯାଇଥିଲା । କେରଳର ଏହି ଛାତ୍ରୀ ୱୁହାନ୍ରେ ଡାକ୍ତରୀ ପାଠ ପଢୁଥିଲେ । ଏବେ ପୁଣି ୱୁହାନ ଫେରିଯାଇ ନିଜ କ୍ୟାରିୟରକୁ ସଫଳ କରାଇବାକୁ ଚାହୁଁଛନ୍ତି ।
କେରଳରେ ଥ୍ରିସୁର ନିବାସୀ ଏହି ଛାତ୍ରୀ ଜଣକ ବଡ ହେଲେ ଡାକ୍ତର ହେବା ନେଇ ପିଲାଦିନୁ ସ୍ୱପ୍ନ ଦେଖିଥିଲେ । ପିତାମାତା ତାଙ୍କୁ ଡାକ୍ତରୀ ପଢିବାକୁ ୱୁହାନ ପଠାଇଥିଲେ । ସେଠାରେ ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । କରୋନା ଆକ୍ରାନ୍ତ ହେବା ପରଠାରୁ ସେ ୱୁହାନ ଯାଇନାହାଁନ୍ତି । ତାଙ୍କ ଭଳି କେରଳ ତଥା ଦେଶର ଅନ୍ୟ କେତେକ ରାଜ୍ୟର ଡାକ୍ତର ଛାତ୍ରଛାତ୍ରୀ ମଧ୍ୟ ୱୁହାନ ଯାଇପାରି ନାହାଁନ୍ତି ।
କେରଳ ଛାତ୍ରୀଙ୍କ ପିତା କହିଛନ୍ତି, ‘ମୋ ଝିଅ ଏବେ ପୁଣି ୱୁହାନ ଯିବାକୁ ଚାହୁଁଛି । କୋଭିଡ୍ ବର୍ତ୍ତମାନ ନିୟନ୍ତ୍ରଣାଧୀନ । କିନ୍ତୁ ମୋ ଝିଅର କ୍ୟାରିୟର ସମ୍ପୂର୍ଣ୍ଣ ଅନିଶ୍ଚିତାରେ । ଦୁଇ ବର୍ଷ ତଳେ ଯାହା ଘଟିଲା, ତାହାକୁ ସେ ଭୁଲିଗଲେଣି । ସେ ପୁଣି ତା’ର ଏମବିବିଏସ୍ ପାଠ୍ୟକ୍ରମ ଶେଷ କରିଛି । ପରୀକ୍ଷାରେ କୃତକାର୍ଯ୍ୟ ମଧ୍ୟ ହୋଇଛି । ତେବେ ଚୀନରେ ଥିବା ନିୟମ ଅନୁସାରେ ସେଠାରେ ୫୨ସପ୍ତାହ ପାଇଁ ପ୍ରତ୍ୟକ୍ଷ ଭାବେ ଇଣ୍ଟର୍ଣ୍ଣସିପ୍ କରିବାକୁ ହେବ । ଡିଗ୍ରୀ ପାଇଁ ଏହା ବାଧ୍ୟତାମୂଳକ । କେନ୍ଦ୍ର ସରକାର ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ବିଚାର କରି ଚୀନ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ଆବଶ୍ୟକ ।
Powered by Froala Editor