ବଜେଟ ଅଧିବେଶନ ଆରମ୍ଭରେ ଏହା କହିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: କୋଭିଡ କଟକଣା ମଧ୍ୟରେ ଆଜି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏପ୍ରିଲ ୮ରେ ସରିବ ଅଧିବେଶନ । ଫେବ୍ରୁୟାରୀ ୧୧ଯାଏ ପ୍ରଥମ, ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏ ଦ୍ୱତୀୟ ପର୍ଯ୍ୟାୟ ଚାଲିବ । ଏହି ପର୍ଯ୍ୟାୟ ଅଧିବେଶନରେ ୧୯ଟି କାର୍ଯ୍ୟଦିବସ ରହିଛି ।
ଆଜି ସଂସଦ ଆରମ୍ଭରେ ରାଷ୍ଟ୍ରପତିଙ୍କ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି । ସମ୍ବୋଧନ କରି କହିଛନ୍ତି ଯେ, ମୋ ସରକାର ଆଗାମୀ ୨୫ ବର୍ଷକୁ ଆଖିରେ ରଖି କାମ କରୁଛି । କରୋନାର କଠିନ ପରିସ୍ଥିତି ଲକ୍ଷ୍ୟକୁ ଶୀଘ୍ର ହାସଲ ପାଇଁ ପ୍ରେରଣା ଦେଉଛି । ସାରକାର ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ଦେଶର ତାକତକୁ ସୂଚାଉଛି । କୋଭିଡ ଭ୍ୟାକ୍ସିନ ଦେଶର ସାମର୍ଥ୍ୟକୁ ପ୍ରତିଫଳିତ କରୁଛି । ସର୍ବାଧିକ ଭ୍ୟାକ୍ସିନ ଦେଇ ଦେଶ ସାରା ବିଶ୍ୱରେ ଚର୍ଚ୍ଚା ସ୍ୟଷ୍ଟି କରିଛି । ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୪ହଜାର କୋଟିରେ ଆୟୁଷମାନ ଭାରତ ଚାଲୁ ରହିଛି । କରୋନା କାଳରେ ଭାରତୀୟ ଫାର୍ମା କମ୍ପାନୀ ଉଲ୍ଲେଖନୀୟ ସଫଳ ହୋଇଛନ୍ତି । ୧୮୦ଦେଶକୁ ଭାରତୀୟ ଫାର୍ମା କମ୍ପାନୀମାନେ ଔଷଧ ଯୋଗାଉଛନ୍ତି । ଏ ଶଙ୍କଟକାଳରେ ଆମର ମୂଳ ଲକ୍ଷ ଥିଲା କେହି ଭୋକିଲା ନରହୁ । ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।
ସରକାର ଓ ନାଗରିକଙ୍କ ମଧ୍ୟରେ ସମନ୍ୱୟ ଆମକୁ କରୋନା ମୁକାବିଲାରେ ସଫଳ କରାଇଛି । ଗୋଟିଏ ବର୍ଷ ମଧ୍ୟରେ ୧୫୦ କୋଟିରୁ ଅଧିକ ଡୋଜ୍ କୋଭିଡ୍ ଟିକାକରଣ ହୋଇଛି । ଟିକାକରଣ ଯୋଗୁ ନାଗରିକଙ୍କ ସୁରକ୍ଷା ସହ ମନୋବଳ ବଢ଼ିଛି । ଏବେ ସୁଦ୍ଧା ଭାରତ ୮ଟି ଭ୍ୟାକ୍ସିନ୍ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ ଦେଇଛି । ଭାରତରେ ତିଆରି କୋଭିଡ୍ ଟିକା କେବଳ ଦେଶ ନୁହେଁ ବିଶ୍ୱସ୍ତରରେ ପ୍ରଂଶସିତ ହୋଇଛି ।
ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଉପକୃତ ହେଉଛନ୍ତି । ୮ ହଜାରରୁ ଅଧିକ ଜନଷୌଧି କେନ୍ଦ୍ରରେ କମ ଦରରେ ଔଷଧ ମିଳୁଛି । କରୋନା କାଳରେ ଭାରତୀୟ ଫାର୍ମା ସେକ୍ଟର ଭଲ କାମ କରିଛି । ୧୮୦ ଦେଶରେ ଭାରତରେ ନିର୍ମିତ ଔଷଧ ବ୍ୟବହୃତ ହେଉଛି । ବିବିଧତାରେ ପୂର୍ଣ୍ଣ ଭାରତରେ ରାଷ୍ଟ୍ରସେବାରେ ସବୁ ବର୍ଗ କାମ କରୁଛନ୍ତି । ଗରିବ ଯେଭଳି ଭୋକରେ ନ ରହିବେ, ସେଥିପାଇଁ ସରକାର କାମ କରୁଛନ୍ତି । କରୋନା କାଳରେ ଗରିବଙ୍କ ରୋଜଗାର ଲାଗି ପ୍ରଧାନମନ୍ତ୍ର ସ୍ୱନିଧି ଯୋଜନା କରାଯାଇଛି । ଏଥିରେ ୨୮ ଲକ୍ଷ ଉଠା ଦୋକାନୀ ଉପକୃତ ହୋଇଛନ୍ତି । ଇଶ୍ରମ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରାଯିବା ନେଇ କାର୍ୟ୍ୟକ୍ରମ ରହିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରେ ଅର୍ଥାତ ଆସନ୍ତାକାଲି ଫେବ୍ରୁଆରୀ ୧ତାରିଖରେ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନା କରାଯିବ । ବଜେଟ ଉପସ୍ଥାପନା ପରେ ବୁଧବାରଠାରୁ ଚାଲିବ ଗୃହକାର୍ୟ୍ୟ । ଏହି ଅଧିବେଶନ ବେଶ ସରଗରମ ହୋଇପାରେ । କାରଣ ଭାରତର ରାଜନୀତିକୁ ପୁଣି ଫେରିଛି ପେଗାସସ୍ ପ୍ରସଙ୍ଗ । ବିରୋଧୀ ପେଗାସସକୁ ପ୍ରସଙ୍ଗକରି ସରକାରଙ୍କୁ ଘେରିବେ । ଖାଲି ପେଗାସସ ପ୍ରସଙ୍ଗ ନୁହେଁ ମହଙ୍ଗା ମାଡ଼, ବେରୋଜଗାର, କରୋନା ପ୍ରଭାବିତ ପରିବାରଙ୍କୁ ସହାୟତା ଓ ଚୀନର ଅନୁପ୍ରବେଶ ନେଇ ବିରୋଧୀ ସରକାରଙ୍କୁ ଗୃହରେ ଘେରିପାରନ୍ତି ।
Powered by Froala Editor