ଝିଅ-ଜ୍ୱାଇଁଙ୍କୁ ଏକାଠି କରିବାକୁ ଜୀ-ଜାନ୍ ଲଗାଇ ଦେଇଛନ୍ତି ରଜନୀକାନ୍ତ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଏବଂ ଜ୍ୱାଇଁ ଧନୁଷ ଦୀର୍ଘ ୧୮ ବର୍ଷ ଏକାଠି ରହିବା ପରେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଉଭୟ ସୋସିଆଲ୍ ମିଡିଆରେ ପୋଷ୍ଟ ବି କରିସାରିଛନ୍ତି । ହେଲେ ଏହାକୁ ଉଭୟଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଶେଷକରି ରଜନୀକାନ୍ତ ଏହି ଘଟଣାକୁ ନେଇ ଭାଙ୍ଗି ପଡ଼ିଛନ୍ତି । ଉଭୟଙ୍କୁ ଏକାଠି କରିବାକୁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ଜୀ-ଜାନ୍ ଲଗାଇ ଦେଇଛନ୍ତି ।
ଧନୁଷ ଓ ଐଶ୍ୱର୍ଯ୍ୟା ପରସ୍ପର ଠାରୁ ଅଲଗା ହେବେ ବୋଲି ପୂର୍ବରୁ ଅନେକ ଥର କଥା ଉଠିଥିଲା । ହେଲେ ଏହା ଗୁମର ବୋଲି ସବୁବେଳେ ଆଲୋଚନା ହେଉଥିଲା । କିଛିଦିନ ତଳେ ଉଭୟଙ୍କ ବାଟ ଅଲଗା ହେବାକୁ ନିଷ୍ପତ୍ତି ନେଇ ସାରିଥିବା ଧନୁଷ ଏକ ପୋଷ୍ଟ କରିଥିଲେ । ଏହାପରେ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଥିଲେ । ପୁଣି ଥରେ ଏକାଠି ହୋଇ ଘର ସଂସାର କରିବାକୁ ଅନେକ କମେଣ୍ଟରେ ଲେଖିଥିଲେ । କେବଳ ସେତିକି ନୁହେଁ, ଉଭୟଙ୍କ ପରିବାର ଲୋକଙ୍କୁ ମଧ୍ୟ ଏହା ଶକ୍ତ ଝଟ୍କା ଲାଗିଥିଲା ।
ଧନୁଷଙ୍କ ବାପା କସ୍ତୁରୀ ରାଜା କହିଛନ୍ତି, ଏହା ଛାଡପତ୍ର ନୁହେଁ ବରଂ ପାରିବାରିକ ତଥା ଦାମ୍ପତ୍ୟ ଝଗଡ଼ା । ଉଭୟଙ୍କ ମଧ୍ୟରେ ବୁଝାମଣା ଚାଲିଛି । ଏହି ବିଚ୍ଛେଦ ସାମୟିକ ବୋଲି କହିବା ସହ ଝିଅ ଘର ପୁଣି ଥରେ ସଜାଡିବାକୁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି ରଜନୀକାନ୍ତ । ଏବେ କୁହାଯାଉଛି କି ଉଭୟ ଧନୁଷ ଓ ଐଶ୍ଚର୍ଯ୍ୟା ହାଇଦ୍ରାବାଦରେ ଥିବା ବେଳେ ନିଜ ନିଜ ପ୍ରୋଜେକ୍ଟ କାମରେ ବ୍ୟସ୍ତ ଅଛନ୍ତି । ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇପାରିବ କି ନାହିଁ, ପୁଣି ଥରେ ଦୁହେଁ ଏକାଠି ହେବେ ନା ନାହିଁ ତାହା ଦେଖିବାକୁ ବାକି ରହିଲା।
Powered by Froala Editor