କାର୍ ଦୁର୍ଘଟଣାରେ ୭ ଛାତ୍ର ମୃତ, ମୃତକଙ୍କ ମଧ୍ୟରେ ଅଛନ୍ତି ବିଧାୟକଙ୍କ ପୁଅ

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭ ଜଣ ଡାକ୍ତରୀ ଛାତ୍ର। ସୋମବାର ରାତି ପ୍ରାୟ ୧୧.୩୦ରେ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଏ ଘଟଣା ଘଟିଛି। ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ର ବିଜେପି ବିଧାୟକଙ୍କ ପୁଅ ମଧ୍ୟ ରହିଛନ୍ତି।
ସୂଚନା ଅନୁଯାୟୀ, ବିଜେପି ବିଧାୟକଙ୍କ ପୁଅ ଆବିଷ୍କାର ତାଙ୍କ ସାଙ୍ଗମାନଙ୍କ ସହ କାର୍ ଯୋଗେ ଦେଓଲିରୁ ପାର୍ଟି ସାରି ୱାର୍ଦ୍ଧାକୁ ଯାଉଥିଲେ। ସେମାନେ ସମସ୍ତେ ସେଲସୁରା ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ହଠାତ୍ ଗୋଟିଏ ପଶୁ ସେମାନଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ପଶୁଟିକୁ ରକ୍ଷା କରିବା ପାଇଁ ଗାଡ଼ି ଚାଳକ ଜଣଙ୍କ ହଠାତ୍ ବ୍ରେକ ଲଗାଇ ଦେଇଥିଲେ। ଫଳରେ କାର୍ଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ପୂରା ଧ୍ୱଂସ ହୋଇଯାଇଛି। ଅଭିଷ୍କାରଙ୍କ ବ୍ୟତୀତ ନୀରଜ ଚୌହାନ, ନୀତେଶ ସିଂହ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂହ, ଶୁଭମ ଜୈସୱାଲ ଓ ପବନ ଶକ୍ତିଙ୍କ ମୃତ୍ୟୁ ଘଟିଥିବା ୱାର୍ଦ୍ଧା ଏସ୍ପି ପ୍ରଶାନ୍ତ ହୋଲକର ସୂଚନା ଦେଇଛନ୍ତି। ଏମାନେ ସମସ୍ତେ ୱାର୍ଦ୍ଧରେ ଥିବା ସାୱାଙ୍ଗି ମେଡିକାଲ କଲେଜର ଛାତ୍ର। ନୀରଜ, ବିବେକ, ପ୍ରତ୍ୟୁଷ ଓ ଶୁଭମ ଏମବିବିଏସ୍ର ଶେଷ ବର୍ଷର ଛାତ୍ର। ସେହିପରି ଅଭିଷ୍କାର ଓ ଅନ୍ୟମାନେ ପ୍ରଥମ ବର୍ଷରେ ପଢ଼ୁଥିଲେ।
Powered by Froala Editor