ବୁଲ୍ଲି ବାଈ ଆପ୍ ମାମଲା : ଓଡ଼ିଶାରୁ ଜଣେ ଗିରଫ

ବୁଲ୍ଲି ବାଈ ଆପ୍ ମାମଲାରେ ଓଡ଼ିଶାରୁ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ଚାରି ଜଣଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ଆଉ ଜଣଙ୍କୁ ଗିରଫ କରିଛି । ଏନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ, ଏହି ଆପ୍ଲିକେସନ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଛି। ମୁସଲମାନ ମହିଳାଙ୍କ ଫଟୋକୁ ଏହି ଆପ ଜରିଆରେ ସୋସିଆଲ ମିଡିଆରେ ଅପଲୋଡ କରି ସେମାନଙ୍କ ସମ୍ମାନହାନି ହେଲାଭଳି ମନ୍ତବ୍ୟ ସବୁ ଦିଆଯାଉଛି। ଏପରିକି ଅନଲାଇନରେ ନିଲାମ କରିବା ଭଳି ଘୃଣ୍ୟ ପଦକ୍ଷେପ ନିଆଯାଉଛି। ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନକୁ ବ୍ୟବହାର କରାଯାଉଛି। ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା। ଦିଲ୍ଲୀ ଓ ମୁମ୍ବାଇ ସାଇବର ପୁଲିସ ଏହି ମାମଲା ମୂଳରେ ପହଂଚିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ପ୍ରଥମଥର ପାଇଁ ଏହି ମାମଲାରେ ଓଡ଼ିଶାରେ ଜଣଙ୍କୁ ଉଠାଇ ନେଇଛି ମୁମ୍ବାଇ ପୁଲିସ ।
ସୂଚନା ଯେ, ଏହା ପୂର୍ବରୁ ମୁମ୍ବାଇ ପୁଲିସ ବିଶାଲ ଝା, ଶ୍ୱେତା ସିଂ, ମୟଙ୍କ ରାଓ୍ୱତ ଓ ନୀରଜ ବିଷ୍ଣୋଇଙ୍କୁ ଏହି ମାମଲାରେ ଗିରଫ କରିଥିଲା ।
Powered by Froala Editor