ରାସୋଳ ବ୍ୟାଙ୍କ ଡକାୟତି ଘଟଣାରେ ୯ ଡକାୟତ ଗିରଫ

ଢେଙ୍କାନାଳ ଜିଲ୍ଲା ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣ ଡକାୟତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ଦୁଇଟି ବାଇକ୍, ଗୋଟିଏ ସ୍କୁଟି ଓ ଗୋଟିଏ କାର୍ ଜବତ କରାଯାଇଛି। ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି। ଏହାସହ ଡକାୟତି ହୋଇଥିବା ମୋଟ ୭ କେଜି ସୁନା ଅଳଙ୍କାରରୁ ୫ କିଲୋ ୩୫୮ଗ୍ରାମ ସୁନାଗହଣା ଜବତ କରାଯାଇଛି।
ଗତ ୧୨ତାରିଖରେ ୪ ଜଣ ମୁଖା ପିନ୍ଧା ଡକାୟତ ରାସୋଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପଶିଥିଲେ। ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଷ୍ଟ୍ରଙ୍ଗ ରୁମରୁ କୋଟି କୋଟି ଟଙ୍କାର ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଧରି ଛୁ ମାରିଥିଲେ। ଏହି ଡକାୟତି ଘଟଣାରେ ସମୁଦାୟ ୧୧ ଡକାୟତ ସମ୍ପୃକ୍ତ ଥିବା ବେଳେ ପ୍ରାୟ ୭ କେଜି ସୁନା ଓ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ମୋଟ ଛଅ ଡକାୟତ ସିଧାସଳଖ ସାମିଲ ଥିବା ବେଳେ ସେମାନଙ୍କୁ ସହଯୋଗ କରିଥିଲେ ଆଉ ୫ ଜଣ।
ଏନେଇ ଖବର ପାଇବା ପରେ ସମଗ୍ର ସହରକୁ ନାକାବନ୍ଦୀ କରି ତଲାସୀ ଆରମ୍ଭ କରିଥିଲା ପୁଲିସ୍। ଘଟଣାର ତିନି ଘଣ୍ଟା ଭିତରେ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟରୁ ପ୍ରଥମେ ପାଞ୍ଚ ଜଣଙ୍କୁ କାବୁ କରିଥିଲା ପୁଲିସ। ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କର ଆଉ ୪ ସହଯୋଗୀମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ।
Powered by Froala Editor