ବିଦେଶ ଫେରନ୍ତାଙ୍କ ପାଇଁ ଗାଇଡଲାଇନ୍ : ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ୭ ଦିନ ସଙ୍ଗରୋଧ ବାଧ୍ୟତାମୂଳକ
ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ଭାରତ ସରକାର। ଆସନ୍ତା ୧୧ ତାରିଖରୁ ଏହା ଲାଗୁ ହେବ। ଭାରତରେ ପହଞ୍ଚିବା ପରେ ବିମାନ ବନ୍ଦରରେ କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ ଦିନ ସଙ୍ଗରୋଧରେ ରହିବାକୁ ପଡିବ । ପଜିଟିଭ ଚିହ୍ନଟ ହୋଇଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରଖାଯିବ। ସେହିପରି ପଜିଟିଭ ଚିହ୍ନଟ ହେଉଥିବା ବିଦେଶ ଫେରନ୍ତାଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ।
ଗାଇଡଲାଇନ ଆନୁଯାୟୀ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା। ସ୍କ୍ରିନିଂ ସମୟରେ କୌଣସି ଲକ୍ଷଣ ପ୍ରକାଶ ପାଇଲେ ଯାତ୍ରୀଙ୍କୁ ତୁରନ୍ତ ଆଇସୋଲେଟ କରାଯାଇ ଆବଶ୍ୟକୀୟ ଚିକିତ୍ସା ଯୋଗାଯିବ। ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ସେମାନଙ୍କୁ ୭ ଦିନ ବାଧ୍ୟତାମୂଳକ ହୋମ ସଙ୍ଗରୋଧରେ ରହିବାକୁ ହେବ। ୮ମ ଦିନ ସେମାନେ ପୁଣି ଆରଟି-ପିସିଆର ଟେଷ୍ଟ କରିବେ। ୮ମ ଦିନ ସେମାନେ କରିଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଭାରତ ସରକାରଙ୍କ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏହାକୁ ସଂପୃକ୍ତ ରାଜ୍ୟ ସରକାର ତଦାରଖ କରିବେ। ୮ମ ଦିନରେ ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଆଉ ୭ ଦିନ ବିଦେଶରୁ ଆସିଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ଆଇସୋଲେସନ ପାଇଁ ଘରେ ସୁବିଧା ରହିଥିବା ଦରକାର। ଆଇସୋଲେସନ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ପ୍ରୋଟକଲକୁ ଅନୁପାଳନ କରିବାକୁ ପଡ଼ିବ। ସବୁ ବିଦେଶ ଫେରନ୍ତାଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି।
Powered by Froala Editor