ସାମ୍ବାଦିକ ବନବିହାରୀ ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟାପକ ବନବିହାରୀ ମହାନ୍ତିଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ଅସୁସ୍ଥତା ହେତୁ ଚିକିତ୍ସିତ ହେଉଥିଲେ । ଶନିବାର ସନ୍ଧ୍ୟା ୭ଟା ୧୫ରେ କଟକସ୍ଥିତ ଗୋରାକବର ନିକଟ ସାମ୍ବାଦିକ କଲୋନି ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି ବୋଲି ସାନପୁଅ ତଥା ଉଦୀୟମାନ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଲକିପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତି ସୂଚନା ଦେଇଛନ୍ତି । ସ୍ୱର୍ଗତ ମହାନ୍ତିଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ବଡ଼ପୁଅ, ପୁତ୍ରବଧୂ, ୨ପୁଅ, ନାତି ଉପସ୍ଥିତ ଥିଲେ ।
ସେ ଗତ ଏପ୍ରିଲରୁ ଅସୁସ୍ଥ ହୋଇ ଘରେ ନିୟମିତ ଚିକିତ୍ସିତ ହେଉଥିଲେ । ଗତ ମଙ୍ଗଳବାରଠାରୁ ସେ ଭେଣ୍ଟିଲେଟରରେ ଥିଲେ । ସାମ୍ବାଦିକତା ଜଗତରେ ସେ ଜଣେ ଧ୍ରୁବତାରା ଥିଲେ । ସବୁଠି ବିବି ମହାନ୍ତି ନାମରେ ପରିଚିତ ଥିଲେ । ଦୀର୍ଘ ୩୦ ବର୍ଷରୁ ଊଦ୍ଧ୍ୱର୍ କାଳ ସାମ୍ବାଦିକତା କରିଥିଲେ । ଦୂରଦର୍ଶନ ସମେତ ଅନେକ ସ୍ଥାନରେ ସେ ନିଜ ଦକ୍ଷତାର ପ୍ରତିପାଦନ କରିଥିଲେ । ଶେଷ ସମୟରେ ମୁକ୍ତବୃତ୍ତି ସାମ୍ବାଦିକତା କରିବା ସହ ଭୁବନେଶ୍ୱରର ଏକ ଘରୋଇ କଲେଜରେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଭାବେ କାର୍ୟ୍ୟ କରି ଅବସର ଗ୍ରହଣ କରିଥିଲେ ।
Powered by Froala Editor