ବିଶ୍ୱରେ ଶୀର୍ଷ-୩ରେ କିଂବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର

ମୁମ୍ବାଇ: କିଂବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର ବିଶ୍ୱର ସର୍ବାଧିକ ଶ୍ରଦେ୍ଧୟ ଖେଳାଳିଙ୍କ ଶୀର୍ଷ-୩ରେ ସ୍ଥାନ ପାଇଛନ୍ତି । ଏକ୍ଷେତ୍ରରେ ସେ ଦୁଇ ମହାନ ଫୁଟବଲ ତାରକା ଲିଓନେଲ ମେସି ଏବଂ କ୍ରିଷ୍ଟିଆନ ରୋନାଲଡୋଙ୍କ ପଛକୁ ରହିଛନ୍ତି । ଏକ ଇଣ୍ଟରନେଟ ଭିତ୍ତିକ ମାର୍କେଟ ରିସର୍ଚ ଏବଂ ଡାଟା ଆଲାଲିଟିକ୍ସ ଫାର୍ମ ‘ୟୁଗଭ’ ଦ୍ୱାରା ପରିଚାଳିତ ସର୍ଭେ ଅନୁଯାୟୀ ସେ ମଧ୍ୟ ବିଶ୍ୱର ଦ୍ୱାଦଶ ସର୍ବାଧିକ ଶ୍ରଦେ୍ଧୟ ବ୍ୟକ୍ତି ଭାବେ ମନୋନୀତ ହୋଇଛନ୍ତି । ୩୮ ରାଷ୍ଟ୍ର ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୪୨,୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ନେଇ ଚଳିତ ବର୍ଷର ସର୍ଭେ କରାଯାଇଥିଲା ।
ଏଥିରେ ମହାନ କ୍ରୀଡ଼ାବିତଙ୍କ ମଧ୍ୟରେ ମେସି ଓ ରୋନାଲଡୋଙ୍କ ପଛକୁ ସଚିନ ତୃତୀୟ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ମାଷ୍ଟରବ୍ଲାଷ୍ଟର ସଚିନ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ୍, ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ବିଗ ବି ଅମିତାଭ ବଚ୍ଚନ ଏବଂ ବର୍ତମାନର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ଆଗରେ ରହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ସଚିନ ପ୍ରାୟ ଏକ ଦଶନ୍ଧୀରୁ ଅଧିକ ସମୟ ୟୁନିସେଫ ସହ ଅନୁବନ୍ଧିତ ରହିଆସିଥିଲା ବେଳେ ୨୦୧୩ରେ ଦକ୍ଷିଣ ଏସୀୟ କ୍ରୀଡ଼ା ଦୂତ ଭାବେ ନିଯୁକ୍ତ ହୋଇଥିଲେ । ବର୍ଷ ବର୍ଷ ଧରି ସଚିନ ମଧ୍ୟ ଭାରତର ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କ୍ରୀଡ଼ା ସେକ୍ଟରରେ ସଂଖ୍ୟାଧିକ କାର୍ଯ୍ୟକଳାପକୁ ସମର୍ଥନ ଯୋଗାଇ ଆସୁଛନ୍ତି ।
Powered by Froala Editor