କମିଶନରେଟ ଅଞ୍ଚଳରେ ଖୋଲିବ ୩ ନୂଆ ଥାନା

ଭୁବନେଶ୍ୱର: କମିଶନରେଟ ପୁଲିସ ଅଞ୍ଚଳରେ ଖୋଲିବ ଆଉ ୩ଟି ନୂଆ ଥାନା । ୩ଟି ନୂଆ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ପାହାଳ, ଇନଫୋଭ୍ୟାଲି ଏବଂ ବୟାଳିଶିମୌଜା/ବେଣ୍ଟକାର ଠାରେ ନୂଆ ଥାନା ଖୋଲିବ ।
ଅନ୍ୟପକ୍ଷରେ ରାଜ୍ୟରେ ସାଇବର ଅପରାଧ ଓ ଆର୍ଥିକ ଅପରାଧ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଉ ୧୧ଟି ନୂଆ ସାଇବର ଓ ଆର୍ଥିକ ଅପରାଧ ଥାନା ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ନୂଆ ସାଇବର ଥାନା ଖୋଲିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏସବୁଠାରେ କାର୍ୟ୍ୟ କରିବା ପାଇଁ ୯୦ଜଣ ବିଶେଷଜ୍ଞ ଓ ୧୫୪ଜଣ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ । ଏହି ଥାନା କାର୍ୟ୍ୟକ୍ଷମ ହେଲେ ରାଜ୍ୟରେ ମୋଟ ସାଇବର ଥାନା ସଂଖ୍ୟା ୧୪ରେ ପହଂଚିବ ।ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଜାଲସାଦି ବୃଦ୍ଧି ପାଉଥିବାରୁ ଏଭଳି ଅପରାଧର ଶିକାର ହେଉଥିବା ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନିମନ୍ତେ ଏହି ୧୧ଟି ସ୍ୱତନ୍ତ୍ର ଥାନା କାର୍ୟ୍ୟ କରିବ।
ଏବେ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ୟ୍ୟ କରୁଥିବା ୩ଟି ସାଇବର ଓ ଆର୍ଥିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ । ଏହା ଦ୍ୱାରା ଏହି ଥାନା ସଂଖ୍ୟା ୧୪କୁ ବୃଦ୍ଧି ପାଇବ । ଯେଉଁ ସବୁ ସ୍ଥାନରେ ଏହି ସାଇବର ଓ ଆର୍ଥିକ ଥାନା କାର୍ୟ୍ୟକ୍ଷମ ହେବ ସେଗୁଡ଼ିକ ହେଲା- କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭବାନୀପାଟଣା, ବଲାଙ୍ଗିର ଓ କନ୍ଧମାଳ ।
Powered by Froala Editor