ତୃତୀୟ ସପ୍ତାହରେ ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର : ଡିସେମ୍ବର ତୃତୀୟ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ପାରଦ ତଳମୁହାଁ ହେବା ସହ ପାଖାପାଖି ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବ । ପରବର୍ତ୍ତୀ ୨ ଦିନରେ ପାରଦ ଦ୍ରୁତଗତିରେ ତଳମୁହାଁ ହେବ, ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ଭବାନୀପାଟଣା ଓ ଟିଟିଲାଗଡ଼ରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦୦ ମିଟର ଥିଲା । ଏହା ସହ ହାଲୁକା କୁହୁଡ଼ି ପଡ଼ିଥିବା ବେଳେ ମାଲକାନଗିରି ଓ କୋରାପୁଟଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଓ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିଲା । ସର୍ବନିମ୍ନ ରାତ୍ରି ତାପମାତ୍ରା ବଲାଙ୍ଗୀରଠାରେ ୧୪.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ୧୩.୫ ଡିଗ୍ରି ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରା ତଳକୁ ଖସିଛି । ଏପଟେ ଉପକୂଳବର୍ତ୍ତୀ ଓ ତତସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଶେଷ ପରିବର୍ତ୍ତନ ଘଟି ନାହିଁ । ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିଛି । ଫୁଲବାଣୀଠାରେ ଏହି ସମୟରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଭାବେ ଯେତିକି ରହିବା କଥା, ତା’ଠାରୁ ଏବେ ୭.୨ ଡିଗ୍ରି, ବାରିପଦାଠାରେ ୫.୫ ଡିଗ୍ରି, ସମ୍ବଲପୁରଠାରେ ୫.୪ଡିଗ୍ରି, କେନ୍ଦୁଝରଠାରେ ୪.୫ଡିଗ୍ରି, କଟକଠାରେ ୪.୧ଡିଗ୍ରି ଓ ଭୁବନେଶ୍ୱରଠାରେ ୪ଡିଗ୍ରି ଲେଖାଏଁ ଅଧିକ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ଉପରେ ପାଣିପାଗର କୌଣସି ନିର୍ଦ୍ଧିଷ୍ଟ ନିୟାମକର ପ୍ରଭାବ ନଥିବାରୁ ପାଗ ମୁଖ୍ୟତଃ ମେଘୁଆ ରହିବ । ଆସନ୍ତା ୨ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି ।
Powered by Froala Editor