ସିଏଜି ରିପୋର୍ଟ: କୋଟି ଟଙ୍କାର ଭୂସମ୍ପତ୍ତି ଓ ସୁନା ଲୁଟ୍
ଭୁବନେଶ୍ୱର: ରାଜ୍ୟର ୧୩ଟି ପ୍ରସିଦ୍ଧ ଦେବାଦେବୀଙ୍କର ଶହ ଶହ କୋଟି ଟଙ୍କାର ଭୂସମ୍ପତ୍ତି ଓ ସୁନାକୁ ଲୁଟ୍ କରାଯାଇଛି। ରାଜ୍ୟର ୧୩ଟି ପ୍ରମୁଖ ମନ୍ଦିରର ମୋଟ ୧୨ହଜାର ୭୬୮ଏକର ଭୂସମ୍ପତ୍ତିରୁ ମାତ୍ର ୪୫ ପ୍ରତିଶତ ଅର୍ଥାତ୍ ୫ହଜାର ୭୪୯ଏକର ଜମି ସମ୍ପୃକ୍ତ ମନ୍ଦିରଗୁଡ଼ିକର ଦଖଲରେ ରହିଛି ଓ ବାକି ୭ହଜାର ୧୮ ଏକର ଜମି ଜବରଦଖଲରେ ଅଛି , ତ କେଉଁଠି ଚଂଚକତା କରି ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା ଲୋକେ ଲୁଟି ନେଇଛନ୍ତି।
ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରର ୧୫୨୩ ଏକର ସମ୍ପତ୍ତି ଥିବାବେଳେ ଏବେ ମାତ୍ର ୩୧ଏକର ଜମି ମନ୍ଦିରର ଦଖଲରେ ରହିଛି। କେବଳ ଜମି ନୁହେଁ ମନ୍ଦିରର ସୁନାରୂପାକୁ ବି ଲୁଟି ନେବାକୁ ପଛାଇ ନାହାନ୍ତି। ମନ୍ଦିରଗୁଡ଼ିକର ୪.୭୩ କୋଟି ଟଙ୍କାର ଅଳଙ୍କାର ଅନଧିକୃତ ତତ୍ତ୍ୱାବଧାନ କେବଳ ଏହାର ନିରାପତ୍ତା ଉପରେ ସନ୍ଦେହ ସୃଷ୍ଟି କରିନି ବରଂ ଅଳଙ୍କାର ଗୁଣାତ୍ମକ ମାନ ଓ ଏହାର ଚୋରି ହୋଇଥିବାର ସନ୍ଦେହକୁ ମଧ୍ୟ ଦୃଢ଼ୀଭୂତ କରିଛି। ଏପରିକି ୫ଟି ମନ୍ଦିରର ରେକର୍ଡରେ ୧୫.୩୦ କିଲୋ ସୁନା ଥିବାବେଳେ ୮୨୩ ଗ୍ରାମର ସୁନାର ପତ୍ତା ମିଳିନି। ଏଭଳି ଚାଂଚଲ୍ୟକର ତଥ୍ୟକୁ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦ ମାର୍ଚ୍ଚ ସୁଦ୍ଧା ସମାପ୍ତ ବର୍ଷ ନିମନ୍ତେ ‘ସାଧାରଣ ଓ ସାମାଜିକ କ୍ଷେତ୍ର’ର ସିଏଜି ଅଡିଟ୍ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏଥିରେ ଦେବାଦେବୀଙ୍କ ସମ୍ପତ୍ତିକୁ କିଭଳି ଲୁଟ୍ କରାଯାଇଛି ତା’ର ବିସ୍ତୃତ ବିବରଣୀ ସିଏଜି ରଖିଛନ୍ତି । । ସିଏଜି ତାଙ୍କ ରିପୋର୍ଟରେ ରାଜ୍ୟର ପ୍ରମୁଖ ମନ୍ଦିର ଯଥା- ଲିଙ୍ଗରାଜ ମନ୍ଦିର, କାକଟପୁର ମା’ ମଙ୍ଗଳା, କଟକ ମା’ ଚଣ୍ଡୀ, ଝଙ୍କଡ଼ ଶାରଳା ମନ୍ଦିର, ସମ୍ବଲପୁରର ମା’ ସମଲେଇ, ପୁରୀ ଜଗନ୍ନାଥ ବଲ୍ଲଭ ମଠ, ନୀଳଗିରିର ଠାକୁର ମହଲ, ଭୂଷଣ୍ଡପୁରର ଉଗ୍ରତାରା ମନ୍ଦିର, ଗୋରଖନାଥ ମନ୍ଦିର,ଆଖଣ୍ଡଳମଣି ମନ୍ଦି. କପିଳାସ ମନ୍ଦିର, ଭୁବନେଶ୍ୱର ରାମମନ୍ଦିର ଆଦି ମୋଟ ୧୩ଟି ଦେବାଦେବୀ ମନ୍ଦିରର ସମ୍ପତ୍ତିଗୁଡ଼ିକର ଅଡିଟ୍ କରିଥିଲେ ।
Powered by Froala Editor