ପୁଣି ଘୁଞ୍ଚିଲା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସମୟ

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସମୟ । ଏଥିରେ ଲଗା ଯାଇଥିବା ନିଷେଧାଦେଶକୁ ଜାନୁଆରୀ ୩୧ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।
ସୂଚନା ଅନୁଯାୟୀ ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବା ନେଇ ନଭେମ୍ବରରୁ ନିଷ୍ପତ୍ତି ହୋଇଥିଲା । ମାତ୍ର କୋଭିଡ-୧୯ ନ୍ୟୁ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢିବା ପରେ ସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ୍ ଜେନେରାଲ୍ ଡିସେମ୍ବର ୧ରେ ୧୫ ପର୍ୟ୍ୟନ୍ତ କୌଣସି ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ ବୋଲି ଘୋଷଣା କରିଥିଲେ । ପୁଣି ଏହାର ଗୋଟିଏ ସପ୍ତାହ ପରେ ଜାନୁଆରୀ ୧ ପର୍ୟ୍ୟନ୍ତ କଟକଣାକୁ ବଳବତ୍ତର ରଖିଛନ୍ତି ।
କରୋନା ଭାଇରସ୍ ମହାମାରୀ କାରଣରୁ ମାର୍ଚ୍ଚ ୨୩, ୨୦୨୦ ଠାରୁ ଭାରତରେ ଅନୁସୂଚିତ ଆନ୍ତର୍ଜାତୀୟ ଯାତ୍ରୀ ସେବା ସ୍ଥଗିତ ରହିଛି । କିନ୍ତୁ ବନ୍ଦେ ଭାରତ ମିଶନ ଅଧୀନରେ ୨୦୨୦ ମସିହା ଜୁଲାଇ ମାସରୁ ମନୋନୀତ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ 'ଏୟାର ବବୁଲ' ବ୍ୟବସ୍ଥାରେ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି ।ଆମେରିକା, ବ୍ରିଟେନ, UAE, କେନିଆ, ଭୂଟାନ ଏବଂ ଫ୍ରାନ୍ସ ସମେତ ପ୍ରାୟ ୩୨ ଟି ଦେଶ ସହିତ ଭାରତ ଏୟାର ବବୁଲ ଚୁକ୍ତି କରିଛି । ଦୁଇ ଦେଶ ମଧ୍ୟରେ ଏକ ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ, ଏହି ଦେଶଗୁଡିକରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରାଯାଇପାରିବ ।
Powered by Froala Editor