ଓଡିଶାର ୬ ଲକ୍ଷ ପରିବାର ବିରୁଦ୍ଧରେ ରାଜ୍ୟ ବିଜେପି ନେତା ଷଡଯନ୍ତ୍ର କରିଛନ୍ତି :ଲେନିନ

ଭୁବନେଶ୍ବର: ରାଜ୍ୟର କେବିକେ, ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ଘର ପାଇବାରୁ ବଞ୍ଚିତ ଅଛନ୍ତି । ରାଜ୍ୟର ଗରିବ ଲୋକ ଘର ପାଇବାରୁ ବଞ୍ଚିତ ରଖିବାକୁ ଷଡଯନ୍ତ୍ର କରୁଛି ରାଜ୍ୟ ବିଜେପି । ଏହି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଓଡିଶାର ୬ ଲକ୍ଷ ପରିବାର ବିରୁଦ୍ଧରେ ରାଜ୍ୟ ବିଜେପି ନେତା ଏହି ଷଡଯନ୍ତ୍ର କରିଛନ୍ତି । ଓଡିଶାର ବିଜେପି ସାଂସଦମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମିଛରେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଛି ଏବଂ ୬ ଲକ୍ଷ ଘର ଆଦିବାସୀଙ୍କୁ ଦିଆଯାଇ ନାହିଁ ।ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବାସ ପ୍ଲସ ପୋର୍ଟାଲ ଖୋଲିବାକୁ ଅନୁରୋଧ କରିଥିଲେ । କାରଣ ୬ ମାସ ହେଲା ଓଡିଶା ବିଜେପିର ଷଡଯନ୍ତ୍ର ଯୋଗୁଁ କେନ୍ଦ୍ର ଦ୍ବାରା ଆବାସ ପ୍ଲସ ପୋର୍ଟାଲ ଖୋଲାହେଲା ନାହିଁ । ଓଡିଶାର ଲୋକଙ୍କୁ ୬ ଲକ୍ଷ ଘର ଯୋଗାଇ ଦିଆଗଲା ନାହିଁ । ଓଡିଶା ବିଜେପିର ଏହି ଓଡିଶା ବିରୋଧୀ, କେବିକେ ଅଞ୍ଚଳ ବିରୋଧୀ, ଆଦିବାସୀ ବିରୋଧୀ ଆଭିମୁଖ୍ୟକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ ବୋଲି ଲେନିନ କହିଛନ୍ତି ।ଓଡିଶାର ଜନଜାତି ଲୋକମାନେ ଓଡିଶା ବିଜେପି ତଥା ଓଡିଶା ବିଜେପିର ସାଂସଦମାନଙ୍କୁ ପିଏମଏୱାଇ ଯୋଜନା ଅଧୀନରେ ଥିବା ୬ ଲକ୍ଷ ଘର ପାଇବାରୁ ସେମାନଙ୍କୁ ବଞ୍ଚିତ କରିଥିବାରୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।
Powered by Froala Editor