ବାତ୍ୟା ପାଇଁ ସତର୍କତାମୂଳକ ପଦକ୍ଷେପ, ଆଜି ୩୬ ଓ କାଲି ୩୮ ଟ୍ରେନ ବାତିଲ

ଭୁବନେଶ୍ୱର: ବାତ୍ୟା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ପୂର୍ବତଟ ରେଳପଥ । ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ବାତ୍ୟାକୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛି ପୂର୍ବତଟ ରେଳବାଇ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ଓ ୫ ତାରିଖରେ ଟ୍ରେନ୍ ବାତିଲ୍ କରାଯାଇଛି । ୪ ତାରିଖରେ ପୂର୍ବତଟ ରଳେବାଇ ୩୬ଟି ଟ୍ରେନ୍ ବାତିଲ୍ କରିଥିବା ବେଳେ ୫ ତାରିଖରେ ୩୮ଟି ଟ୍ରେନକୁ ବାତିଲ୍ କରିଛି । ସେହିଭଳି ୬ ତାରିଖରେ ଗୁଣୁପୁର-ପୁରୀ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି ।
ଅନ୍ୟପକ୍ଷରେ ପୁରୀକୁ ନାହିଁ ବାତ୍ୟା ବିପଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜୱାଦ’ । ଗଭୀର ଅବପାତ ରୂପରେ ଆସନ୍ତାକାଲି ମଧ୍ୟାହ୍ନରେ ‘ଜୱାଦ’ ପୁରୀ ଉପକୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସାମୁଦ୍ରିକ ଝଡ଼ ‘ଜୱାଦ’ ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତରଦିଗକୁ ଆଂଶିକ ଭାବରେ ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ।
ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟ୍ଟଣମ୍ ଠାରୁ ଦକ୍ଷିଣପୂର୍ବଲ ଦିଗରେ ୨୩୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣରେ ୩୪୦ କିଲୋମିଟର, ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୧୦ କିଲୋମିଟର ଓ ପାରାଦୀପ ଠାରୁ ସମାନ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ ‘ଜୱାଦ’ ।
ଏହା କ୍ରମଶଃ ଦୁର୍ବଳ ହେବ ଏବଂ ଉତ୍ତର ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ପୁରୀ ପହଞ୍ଚିବ । ୫ ତାରିଖ ମଧ୍ୟାହ୍ନରେ ‘ଜୱାଦ’ ପୁରୀ ପହଞ୍ଚିବା ବେଳକୁ ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । କ୍ରମଶଃ ଏହା ଦୁର୍ବଳ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ ।
Powered by Froala Editor