ପ୍ରଦୂଷଣ କମିବା ପରେ ବି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ରାଜଧାନୀ ଦିଲ୍ଲୀର ପ୍ରଦୂଷଣ କିଛି ମାତ୍ରାରେ କିମିଛି। ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ମଧ୍ୟ ହ୍ରାସ ପାଇଛି। କିନ୍ତୁ ପୂରାପୁରି ସୁଧାର ଆସିନାହିଁ। ଏହାକୁ ନେଇ ପୁଣି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ସୁପ୍ରିମ୍ କୋର୍ଟ ସରକାରଙ୍କୁ କହିଛନ୍ତି, ସମ୍ପ୍ରତି ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ବି ଆମେ ମାମଲା ବନ୍ଦ କରିବୁ ନାହିଁ। ଏଇଟା ଜାତୀୟ ରାଜଧାନୀ। ଆମେ ପୁଣି ସୋମବାର ଦିନ ଏହି ମାମଲାର ଶୁଣାଣି କରିବୁ। ସେ ମଧ୍ୟରେ ଯଦି ପରିସ୍ଥିତି ଉନ୍ନତ ହୋଇଥିବ, କେତେକ କଟକଣା ଉଠାଇ ଦେବ। ପରିସ୍ଥିତି ଉତ୍କଟଜନକ ସ୍ଥିତିରେ ନ ପହଞ୍ଚିବା ଲାଗି ପରିସଂଖ୍ୟାନକୁ ଆଧାର କରି ପରିସ୍ଥିତି ସମ୍ପର୍କର ଆଗୁଆ ସୂଚନା ଜାରି କରି ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିବା ପାଇଁ କର୍ତ୍ତୃପକ୍ଷମାନଙ୍କୁ ଅଦାଲତ ନିର୍ଦେଶ ଦେଇଛନ୍ତି।
୨୧ ନଭେମ୍ବର ଭିତରେ ଦିଲ୍ଲୀର ସ୍ଥିତିରେ ସୁଧାର ଆସିବ ବୋଲି କହିଥିଲେ। କିନ୍ତୁ ଏଯାଏଁ ପ୍ରଦୂଷଣ କମିନାହିଁ। କିଛି ସ୍ଥାନରେ ପବନ ବହିବା ଯୋଗୁଁ ପ୍ରଦୂଷଣ କମିଛି। କିନ୍ତୁ ଆପଣମାନେ ଏହାକୁ କମ୍ କରିବା ପାଇଁ ସ୍ଥାୟୀ ଭାବେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଆଜି ଶୁଣାଣି ବେଳେ କଡା ଭାଷାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଏହାପୂର୍ବରୁ ଦିଲ୍ଲୀ ସରକାର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।
ଏପଟେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ନଭେମ୍ବର ୨୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ନଭେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି ଯେ ଯାନବାହାନର ପାର୍କିଂ ଶୁଳ୍କକୁ ତିନିରୁ ଚାରି ଗୁଣ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍ଥାନୀୟ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ଦିଲ୍ଲୀରେ ଯାତାୟାତ ହ୍ରାସ କରିବାକୁ ଟ୍ରାଫିକ ପୁଲିସର ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି।
Powered by Froala Editor