ଛାତି ବ୍ୟତୀତ ଜାଣନ୍ତୁ କେଉଁଠି ଯନ୍ତ୍ରଣା ହେବା ହୃଦ୍ଘାତର ସାଧାରଣ ଲକ୍ଷଣ.....

ଆମ ଦେଶରେ ହୃଦରୋଗଜନିତ ମୃତ୍ୟୁସଂଖ୍ୟା ଖୁବ୍ ଅଧିକ ଥିବାବେଳେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଖୁବ୍ ଜରୁରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନେକ ହୃଦରୋଗୀ ଖୁବ୍ ବିଳମ୍ବରେ ଡାକ୍ତରୀ ଚିକିତ୍ସା ପାଇଥାନ୍ତି କିମ୍ବା ମୋଟେ ପାଇ ନ ଥାନ୍ତି । ଯେଉଁ ହୃଦରୋଗଜନିତ ସମସ୍ୟା ଖୁବ୍ ଶୀଘ୍ର ଡାକ୍ତରୀ ଚିକିତ୍ସା ଆବଶ୍ୟକ କରେ ସେଗୁଡ଼ିକ ହେଲା ମାଇଓକାର୍ଡିଆଲ୍ ଇନ୍ଫ୍ରାକ୍ସନ୍ (ହୃଦ୍ଘାତ), ଆକ୍ୟୁଟ୍ ହାର୍ଟ ଫେଲ୍ୟୁଅର୍, କାର୍ଡିଆକ୍ ସିଙ୍କୋପ୍ ଏବଂ ମହାଧମନୀର ଡିସେକ୍ସନ୍ ।
ଆଗୁଆ ଚିକିତ୍ସା ନିମନ୍ତେ ରୋଗର ଲକ୍ଷଣ ଚିହ୍ନଟ ହେବା ଜରୁରୀ ।
ଛାତି, କାନ୍ଧ, ହାତ କିମ୍ବା ପିଠିରେ ଯନ୍ତ୍ରଣା ହେବା ହୃଦ୍ଘାତର ସାଧାରଣ ଲକ୍ଷଣ । ଅନେକ ସମୟରେ ଅତ୍ୟନ୍ତ ମାତ୍ରାରେ ଶରୀରରୁ ଝାଳ ମଧ୍ୟ ବୋହିଥାଏ । ଖୁବ୍ କମ୍ କ୍ଷେତ୍ରରେ ଅଧିକ ମାତ୍ରାରେ ଝାଳ ବୋହିବା ହୃଦ୍ଘାତର ଏକମାତ୍ର ସଂକେତ ହୋଇଥାଏ । ଦୀର୍ଘ ଦିନ ଧରି ହୃଦସ୍ପନ୍ଦନ ଅନିୟମିତ ରହିବା, ମୁଣ୍ଡ ବୁଲାଇବା, ଛାତିରେ ଯନ୍ତ୍ରଣା ହେବା, ଅଣନିଃଶ୍ୱାସୀ ଲାଗିବା କିମ୍ବା ଚାରିଆଡେ ଅନ୍ଧକାର ଦିଶିବା ମଧ୍ୟ ହୃଦରୋଗର ଲକ୍ଷଣ ହୋଇପାରେ । ଅଚେତ ହୋଇଯିବା ମଧ୍ୟ ହୃଦରୋଗଜନିତ ଗୁରୁତର ସମସ୍ୟା ।
ତଥ୍ୟ ଅନୁସାରେ ୨୫ରୁ ୩୦ ପ୍ରତିଶତ ହୃଦଘାତଜନିତ ମୃତକଙ୍କ କ୍ଷେତ୍ରରେ କୌଣସି ଡାକ୍ତରୀ ଚିକିତ୍ସା କରାଇ ନ ଥିବା କିମ୍ବା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିବା ଜଣାଯାଏ । ଆରିଥମିଆ କିମ୍ବା ହୃତ୍ସ୍ପନ୍ଦନରେ ସମସ୍ୟା ଦେଖାଦେଲେ ଶରୀର ଅସୁସ୍ଥ ହେବା ସହ ହଠାତ୍ ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ । ତେଣୁ ଯେଉଁ ରୋଗୀମାନଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖାଦେଉଛି ସେମାନେ ରୋଗକୁ ନ ଲୁଚାଇ ତୁରନ୍ତ ଡାକ୍ତରୀ ଉପଦେଶ ନେବା ଉଚିତ୍ । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ରୋଗମୁକ୍ତ କରାଇଥାଏ ଏବଂ ମଣିଷର ଜୀବନ ମଧ୍ୟ ବଞ୍ଚାଇଥାଏ ।
ସଚେତନ ରହିବା ଦ୍ୱାରା ଏବଂ ସମୟୋପଯୋଗୀ ଡାକ୍ତରୀ ଉପଦେଶ ନେବା ଦ୍ୱାରା ମଣିଷର ହୃଦ୍ଜନିତ ସମସ୍ୟାରେ ସୁଧାର ଆସିଥାଏ । ହୃଦରୋଗୀଙ୍କର ବନ୍ଧୁ ଏବଂ ପରିଜନ ଡାକ୍ତରୀ ପରୀକ୍ଷା କରାଇବାରେ ତାଙ୍କୁ ଉତ୍ସାହିତ କରାଇବା ଉଚିତ୍ । କାରଣ ଅନେକ ସମୟରେ ରୋଗୀମାନେ ଅନେକ କାରଣକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ଅନିଚ୍ଛା ପ୍ରକାଶ କରିଥାନ୍ତି । ତେଣୁ ଏହା ଆମର କର୍ତ୍ତବ୍ୟ ଯେ ଏ ଦିଗରେ ଆଗୁଆ ଚିକିତ୍ସା ନିମନ୍ତେ ସଚେତନ କରାଇବା ଉଚିତ୍ । ଏହା ଦ୍ୱାରା ଅନେକ ଜୀବନ ବଞ୍ଚିପାରିବ ।
Powered by Froala Editor