ଭୁଟାନରେ ଜମି ଦଖଲ କରି ୪ଟି ଗାଁ ତିଆରି କରିଛି ଚୀନ୍
ବର୍ଷକ ମଧ୍ୟରେ ଚୀନ୍ ଭୁଟାନୀୟ ଅଞ୍ଚଳରେ ଜମି ଜବରଦଖଲ କରି ସେଠାରେ ୪ଟି ଗ୍ରାମ ସ୍ଥାପନ କରିଛି। ‘ସାଟେଲାଇଟ୍ ଇମେଜେରି ଏକ୍ସପର୍ଟ’ ‘ଡିଟ୍ରେସ୍ଫା’ ଟୁଇଟ୍ କରିଥିବା ନୂଆ ‘ଉପଗ୍ରହ ଉତ୍ତୋଳିତ ଛବି’ରୁ (ସାଟେଲାଇଟ୍ ଇମେଜ୍) ଏହା ସ୍ପଷ୍ଟ ଭାବେ ଜଣାପଡ଼ିଛି।
‘ଦି ଇନ୍ଟେଲ୍ ଲ୍ୟାବ୍’ ସହ ମିଶି ‘ଡିଟ୍ରେସ୍ଫା’ ‘ଜିଓପଲିଟିକାଲ୍’ ବିଶେଷଜ୍ଞମାନଙ୍କ ଦ୍ବାରା ଉପରୋକ୍ତ ଛବିଗୁଡ଼ିକୁ ବିଶ୍ଳେଷଣ କରିଛି। ୨୦୨୦ ମେ ରୁ ୨୦୨୧ ନଭେମ୍ବର ମଧ୍ୟରେ ଉକ୍ତ ଗ୍ରାମଗୁଡ଼ିକ ନିର୍ମାଣ କରାଯାଇଛି। ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ଏକାଧିକ ଗାଁ ଚାଇନା ତିଆରି କରିଥିବା ସ୍ୟାଟେଲାଇଟ ଇମେଜ୍ରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
ଚାଇନାର ଏପରି ପଦକ୍ଷେପ ଭାରତ ପାଇଁ ବିଶେଷ ଚିନ୍ତାଜନକ। କାରଣ ଭୁଟାନର ସୀମା ରକ୍ଷା କରିବା ପାଇଁ ଭାରତ ସେଠାରେ ଏକ ସୀମିତ ସଶସ୍ତ୍ର ବାହିନୀ ନିୟୋଜିତ କରିଛି। ସୀମାରେ ଚାଇନାର ସାମରିକ ବିକାଶ ଉପରେ ଅନୁସନ୍ଧାନ କରୁଥିବା @ଡେଟ୍ରେସଫ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ “ଡୋକଲାମ ନିକଟ ଭୁଟାନ ଓ ଚାଇନା ମଧ୍ୟରେ ଥିବା ବିବାଦୀୟ ଜମିରେ ୨୦୨୦-୨୧ରେ ନିର୍ମାଣ କାର୍ଯ୍ୟ କରାଯାଇଛି। ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ଅନେକ ନୂଆ ଗାଁ ବିସ୍ତାର କରିଛି। ଏହା ଏକ ନୂଆ ବୁଝାମଣା ନା ଚାଇନାର ବିସ୍ତାରବାଦୀ ନୀତି?”
ସୂଚନାଯୋଗ୍ୟ, ୨୦୧୭ରେ ସେହି ଅଞ୍ଚଳ ନିକଟରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହେବା ସହ ସେମାନଙ୍କ ମଧ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହା ପରେ ଭାରତୀୟ ପ୍ରତିରକ୍ଷା ବିଭାଗ ସେ ଅଞ୍ଚଳରେ ରାସ୍ତା ନିର୍ମାଣ ଆରମ୍ଭ କରିଥିଲା।
Powered by Froala Editor