ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ ପାଇଁ ନିଷ୍ପତ୍ତି, ଏହି ଯୋଜନାରେ କ’ଣ ମିଳିବ ଜାଣନ୍ତୁ?

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ମହାମାରୀ ଦ୍ରୁତ ବେଗରେ ମାଡୁଥିବା ବେଳେ ମୋଦି ସରକାର ପୁଣି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ସରକାର ମେ ଓ ଜୁନ୍ ମାସରେ ଗରିବଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ କିମ୍ବା ଗହମ ମାଗଣାରେ ଯୋଗାଇବେ । ପାଖାପାଖି ୮୦ କୋଟି ଲୋକ ଏହାର ଫାଇଦା ନେବାକୁ ଥିବା ବେଳେ ସରକାର ଏଥିପାଇଁ ୨୬,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଛି ।
ମାସକୁ ମୁଣ୍ଡ ପିଛା ୫ କିଲୋଗ୍ରାମ୍ ଲେଖାଏଁ ଖାଦ୍ୟଶସ୍ୟ ଦୁଇମାସ ପାଇଁ ଯୋଗାଇ ଦିଆଯିବ । ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଅଧୀନରେ ଆସୁଥିବା ପାଖାପାଖି ୮୦ କୋଟି ଲୋକ ଉପକୃତ ହେବେ । ମେ ଓ ଜୁନ୍ ମାସ ପାଇଁ ଏହା ମିଳିବ ।
ଉଲ୍ଲେଖଯୋଗ୍ୟ, ଗତବର୍ଷ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ସକାଶେ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ କରିଥିଲେ । ଏହି ସମୟରେ ସର୍ବାଧିକ ପ୍ରଭାବିତ ଗରିବ ଲୋକଙ୍କ ମୁହଁରେ ଆହାର ଦେବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ ହୋଇଥିଲା ।
ଯୋଜନାରେ ପ୍ରତି ମାସ ମୁଣ୍ଡ ପିଛା ୫ କିଲୋଗ୍ରାମ ଚାଉଳ କିମ୍ବା ଗହମ ସହିତ ପ୍ରତି ପରିବାରକୁ ୧ କିଲୋ ଡାଲି ଯୋଗାଇ ଦିଆଯାଇଥିଲା । ମାର୍ଚ୍ଚରୁ ୩ ମାସ ପାଇଁ ଏହି ଯୋଜନା ଲାଗୁ କରାଯାଇଥିଲା । ପରେ ଏହାକୁ ୨୦୨୦ ନଭେମ୍ବର ୩୦ ପର୍ୟ୍ୟନ୍ତ ବଢ଼ାଯାଇଥିଲା ।ରାସନ୍ କାର୍ଡଧାରୀଙ୍କୁ ସେମାନଙ୍କ ନିୟମିତ ମାସିକ କୋଟା ବାଦ୍ ୫ କିଲୋ ଗହମ ବା ଚାଉଳ ଯୋଗାଇ ଦିଆଯାଇଥିଲା । ଏବେ ଦେଶରେ କରୋନା ସଂକ୍ରମଣ ସ୍ଥିତି ସାଙ୍ଘାତିକ ରୂପ ନେଇଥିବାରୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି କୋଭିଡ୍ କଟକଣା ଲାଗୁ କରାଗଲାଣି । ତେଣୁ ଏହାର ପ୍ରଭାବରୁ ଗରିବଙ୍କୁ ଉପଶମ ଦେବା ପାଇଁ ମେ ଓ ଜୁନ୍ ମାସରେ ମାଗଣା ରାସନ୍ ଯୋଗାଇବାକୁ ନିଷ୍ପତ୍ତି ହୋଇଛି ।
Powered by Froala Editor