ଶୀତ ଦିନେ ଏମିତି କରନ୍ତୁ କେଶର ସୁରକ୍ଷା

ଶୀତଦିନ ଆସିଗଲେ ଚିନ୍ତା ବଢ଼ିଯାଏ ନିଜ ତ୍ୱଚା ଏବଂ କେଶର ରୁକ୍ଷ ଓ ଶୁଷ୍କତା ଉପରେ । ଶୀତର ଲହରୀରେ ଆମ ତ୍ୱଚା ଓ କେଶ ପ୍ରଭାବିତ ହୁଏ । ଆରମ୍ଭ ସମୟରୁ ଯତ୍ନ ନନେଲେ ପରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ । ଏହି ସମସ୍ୟା ନ ଉପୁଜିବା ପାଇଁ ସାଧାରଣତଃ ଅନେକ ଲୋକ ବଜାରରେ ମିଳୁଥିବା ବିଭିନ୍ନ ରକମର କସ୍ମେଟିକ୍ସ ଓ ଶ୍ୟାମ୍ପୁ ବ୍ୟବହାର କରିଥାନ୍ତି । ଯାହା ଫଳରେ କେଶ ଅଧିକ ପ୍ରଭାବିତ ହୁଏ ।
- ଶୀତଦିନେ ରୁପି ଅଧିକାଂଶଙ୍କର ମୁଖ୍ୟ ସମସ୍ୟା । କେତେଜଣ ଏଇ ସମୟରେ ରୁପି ଭୟରେ ନିଜ ଶାମ୍ପୁ ପରିବର୍ତନ କରନ୍ତି । ଏହା ଆଦୌ ସ୍ଥାୟୀ ସମାଧାନ ନୁହେଁ । ଶ୍ୟାମ୍ପୁ ପରିବର୍ତନ କଲେ ମଧ୍ୟ ରୁପି ହୁଏ । ରୁପିରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଶ୍ୟାମ୍ପୁ କରିବା ପୂର୍ବରୁ ତେଲ ଲଗେଇବାକୁ ଯେପରି ନ ଭୁଲିବେ । ଏହି ଦିନରେ ଅନ୍ୟ କୌଣସି ତେଲ ଲଗେଇବା ପରିବର୍ତେ ନଡ଼ିଆ ତେଲକୁ ନଖ ଉଷୁମ କରି ତୁଳାରେ ନେଇ କେଶ ମୂଳରେ ଲଗାନ୍ତୁ । ଦେଖିବେ କେଶ ସମସ୍ୟା ଉପୁଜିବ ନାହିଁ ।
- ଏହି ଋତୁରେ କେଶ ପାଇଁ ମେଥି ଔଷଧ ଭଳି କାମ କରେ । ରାତିରେ ୨ ଛୋଟ ଚାମଚ ମେଥି ବତୁରାଇ ରଖନ୍ତୁ । ସକାଳୁ ଏହାକୁ ଭଲରେ ବାଟି ସେଥିରେ ଅଧ ଚାମଚ ସୋରିଷ ତେଲ ମିଶାଇ କେଶମୂଳରେ ଲଗାଇବେ, ୩୦ ମିନିଟ୍ ପରେ ଧୋଇବେ । ମେଥି ପ୍ୟାକ୍ କେଶକୁ ପୋଷଣ ଯୋଗାଇଥାଏ ।
- କେତେକ ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ଶୀତରେ ଦହିକୁ କେଶ ମୂଳରେ ଲଗାଇବା ଉଚିତ ନୁହେଁ । କାରଣ ପରିବେଶ ଥଣ୍ଡା ଥିବା କାରଣରୁ କେଶ ଅଧିକ ଶୁଷ୍କ ହୋଇ ଝଡ଼ିଥାଏ । ଏହି ଦିନମାନଙ୍କରେ ଯେକୌଣସି ପ୍ରକାର କେଶ ପ୍ୟାକରେ ଦହିର ପ୍ରୟୋଗ କରନ୍ତୁ ନାହିଁ ।
- ଥଣ୍ଡା ପାଗରେ ଉଷୁମ ପାଣିରେ ସ୍ନାନ କରିପାରନ୍ତି କିନ୍ତୁ ଉଷୁମ ପାଣିରେ କେଶ ଧୁଅନ୍ତୁନାହିଁ । ଉଷୁମ ପାଣି କେଶମୂଳକୁ ଦୁର୍ବଳ କରେ ଓ ଏହା କାରଣରୁ ଅଧିକ କେଶ ଝଡେ଼ ।
Powered by Froala Editor