୮୦ କୋଟି ଲୋକଙ୍କୁ ଦୁଇ ମାସର ରାସନ ମାଗଣା ମିଳିବ
ଆସନ୍ତା ଦୁଇମାସ (ମେ ଏବଂ ଜୁନ୍) ପାଇଁ କେନ୍ଦ୍ର ସରକାର ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ତଦନୁଯାୟୀ ଗରିବ ଲୋକମାନଙ୍କୁ ୫ କିଲୋଗ୍ରାମ ମାଗଣା ରାସନ ଯୋଗାଇ ଦିଆଯିବ। ପ୍ରାୟ ୮୦ କୋଟି ହିତାଧିକାରୀ ଏହାଦ୍ୱାରା ଲାଭବାନ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିପାଇଁ ୨୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯେଉଁ ସମୟରେ ଦେଶ କୋଭିଡ-୧୯ର ଦ୍ୱିତୀୟ ଲହରର ସମ୍ମୁଖୀନ ହେଉଛି ସେହି ସମୟରେ ଗରିବଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ସହାୟତା ଜରୁରୀ। ଏକ ପ୍ରେସ ବିଜ୍ଞପ୍ତିରେ କେନ୍ଦ୍ର ସରକାର କହିଛନ୍ତି ଯେ, ମେ ଏବଂ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ଦେଶର ହିତାଧିକାରୀମାନଙ୍କୁ ଅତିରିକ୍ତ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ। ଏଥିରେ କୁହାଯାଇଛି ଯେ, ପ୍ରାୟ ଦେଶର ୮୦ କୋଟି ହିତାଧିକାରୀଙ୍କୁ ମାଗଣାରେ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।
Powered by Froala Editor