ଲଘୁଚାପ : ୧୫ ଯାଏ ବର୍ଷା
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ସୃଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୬ ଘଣ୍ଟା ଅର୍ଥାତ ବୁଧୁବାର ରାତିରେ ଏହା ଅବପାତରେ ପରିଣତ ହୋଇ ତାମିଲନାଡ଼ୁ ମୁହାଁ ହେଉଛି । ୧୧ ତାରିଖ ସନ୍ଧ୍ୟା ବେଳକୁ ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଦ୍ର ପ୍ରଦେଶ ସଂଲଗ୍ନ କରାଇଲେ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ପୁରୀ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ୧୪ ଓ ୧୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବା ସହ ଉପକୂଳରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।ଅନ୍ୟପକ୍ଷରେ ମଙ୍ଗଳବାର ରାତିରେ ରାଜ୍ୟର ୬ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା । ୧୧ ଡିଗ୍ରି ସହ ବୁଧବାର ବି ଦାରିଙ୍ଗବାଡ଼ି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଏହାବ୍ୟତୀତ ଫୁଲବାଣୀରେ ୧୩.୨, ଟିଟଲାଗଡ଼ରେ ୧୪.୫, ଝାରସୁଗୁଡାରେ ୧୪.୬, କେନ୍ଦୁଝରରେ ୧୪ .୮ ଓ ସୋନପୁରରେ ରାତିର ତାପମାତ୍ରା ୧୪.୯ ଡିଗ୍ରି ରହିଥିଲା । ଭୁବନେଶ୍ୱରରେ ୧୮.୫ ଓ କଟକରେ ୧୮.୪ ଡିଗ୍ରି ଥିଲା । ଆଗାମୀ ୨୪ ଘଣ୍ଟା ପରେ ରାତିର ତାପପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ସହ ଶୀତର ପ୍ରଭାବ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
Powered by Froala Editor