ବିରାଟଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ଗିରଫ
ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ମୁମ୍ବାଇ ପୁଲିସ । ମୁମ୍ବାଇ ପୁଲିସର ସାଇବର ସେଲ ଏହି ଅଭିଯୁକ୍ତକୁ ହାଇଦ୍ରାବାଦରୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ରାମନାଗେଶ ଅଲିବଥିନି। ତା’ ବୟସ ୨୩ ବର୍ଷ। ଅଭିଯୁକ୍ତ ପେଶାରେ ଜଣେ ସଫ୍ଟେୱେଆର ଇଞ୍ଜିନିଅର। ସେ ପ୍ରଥମେ ଫୁଡ୍ ଡେଲିଭରୀ ଆପ୍ ପାଇଁ ସଫ୍ଟୱେଆର ତିଆରି କରିବା କାମ କରୁଥିଲା।
ଦୁବାଇରେ ଚାଲିଥିବା ଟି-୨୦ ୱାର୍ଲ୍ଡ କପ୍ ମ୍ୟାଚ୍ରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ବିରାଟ କୋହଲି ଏବଂ ତାଙ୍କ ପରିବାରକୁ ଧମକ ମିଳିଥିଲା। ରାଗି ଯାଇ ତାଙ୍କ ପରିବାରକୁ ଟାର୍ଗେଟ କରାଯାଇଥିଲା। ଏକ ଅଜଣା ଟ୍ୱିଟର ଆକାଉଣ୍ଟ ଜରିଆରେ ବିରାଟ କୋହଲି ଏବଂ ଅନୁଷ୍କାଙ୍କ ଝିଅ ଭମିକାଙ୍କୁ ଦୁଷ୍କର୍ମ କରିବାକୁ ଧମକ ମିଳିଥିଲା। ପରେ ଯେଉଁ ଆକାଉଣ୍ଟରୁ ଏହି ଧମକକୁ ଟ୍ୱିଟ୍ କରାଯାଇଥିଲା ତାକୁ ଡିଲିଟ କରି ଦିଆଯାଇଥିଲା। ଧମକ ଆସିବା ପରେ ଦିଲ୍ଲୀ ମହିଳା କମିଶନ ପୁଲିସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଘଟଣାକୁ ନିନ୍ଦା କରିବା ସହ ଜଣେ ୯ ମାସ ଝିଅକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଥିଲେ। ଘଟଣାର ତଦନ୍ତ ପାଇଁ ସେ ଦିଲ୍ଲୀ ପୁଲିସକୁ ଟ୍ୱିଟ୍ କରି ଜଣାଇଥିଲେ। ସେପଟେ କୋହଲି ମଧ୍ୟ ଏନେଇ ପୁଲିସରେ ଅଭିଯୋଗ କରିଥିଲେ।
ତେବେ ଆଜି ଏହି ମାମଲର ମୁଖ୍ୟ ଅଭିଯୁକ୍ତକୁ ମୁମ୍ବାଇ ପୁଲିସର ସାଇବର ସେଲ ଗିରଫ କରିଛି ଏବଂ ଅଧିକ ପଚରା ଉଚରା ପାଇଁ ତାଙ୍କୁ ମୁମ୍ବାଇ ଆଣାଯାଉଛି ବୋଲି ମୁମ୍ବାଇ ପୁଲିସ ସୂଚନା ଦେଇଛି ।
Powered by Froala Editor