ଅକ୍ସିଜେନ୍ ଅଭାବ: ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ଚାଲିଗଲା ୨୫ ରୋଗୀଙ୍କ ଜୀବନ
ଅଧିକରୁ ଅଧିକ କରୋନା ଆକ୍ରାନ୍ତ ହେଉଥିବାରୁ ହସ୍ପିଟାଲରେ ସମସ୍ତଙ୍କୁ ଚିକିତ୍ସା ଯୋଗାଇବାରେ ବିଫଳ ହେଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ତେଣୁ ଗତ ୨୪ ଘଣ୍ଟା ମଧ୍ୟରେ ‘ସାର୍ ଗଙ୍ଗାରାମ ହସ୍ପିଟାଲ୍’ରେ ୨୫ଜଣ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ଘଟିଛି ଏବଂ ଆହୁରି ୬୦ଜଣ ରୋଗୀ ବିପଜ୍ଜନକ ଅବସ୍ଥାରେ ଥିବା କଥା ଡାକ୍ତରଖାନା ତରଫରୁ କୁହାଯାଇଛି। ଅକ୍ସିଜେନ ଅଭାବ ଥିବାରୁ ଚିକିତ୍ସାଧୀନ ଥିବା ଆଉ ୬୦ ରୋଗୀଙ୍କୁ ଜୀବନ ବିପଦ ଘେରରେ ଥିବା କୁହାଯାଉଛି। ଭେଣ୍ଟିଲେଟର୍ ଏବଂ ‘ବିଆଇପିଏପି’ ମେସିନ୍ ମଧ୍ୟ ଭଲ ଭାବେ କାର୍ଯ୍ୟ କରୁନାହିଁ ବୋଲି ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ‘ଏସ୍ଓଏସ୍’ ପଠାଇବା ପରେ ‘ସାର୍ ଗଙ୍ଗାରାମ ହସ୍ପିଟାଲ୍’ରେ ‘ଅକ୍ସିଜେନ୍’ ଟ୍ୟାଙ୍କର୍ ପହଞ୍ଚାଇ ଦିଆଯାଇଛି। ସମ୍ପ୍ରତି ‘ସାର୍ ଗଙ୍ଗାରାମ ହସ୍ପିଟାଲ୍’ରେ ୫୦୦ରୁ ଅଧିକ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ଜଣଙ୍କର ପ୍ରଚୁର ଅକ୍ସଜେନ୍ ଆବଶ୍ୟକ।
ସୂଚନାଯୋଗ୍ୟ, ଦିଲ୍ଲୀର ହସ୍ପିଟାଲ ଗୁଡ଼ିକରେ ବେଡ୍ ସହିତ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏ ପ୍ରସଙ୍ଗରେ ମିଡିଆକୁ କହିଥିଲେ। ତେବେ ଆବଶ୍ୟକ ଅକ୍ସିଜେନ ଯୋଗାଇ ଦେବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେଇଛନ୍ତି।
Powered by Froala Editor