ନୱାବଙ୍କୁ ଏପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଜାଣନ୍ତୁ କ’ଣ

ମୁମ୍ବାଇ: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନୱାବ ମଲିକଙ୍କ ନୂଆ ନୂଆ ଅଭିଯୋଗ ପରେ ପ୍ରମାଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ମୁମ୍ବାଇ ଆଞ୍ଚଳିକ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବାପା ଦ୍ୟାନଦେବଙ୍କ ମାନହାନୀ ମାମଲା ପରେ କୋର୍ଟ ନୱାବଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ ସୋମବାର ଦ୍ୟାନଦେବଙ୍କ ଆବେଦନର ଶୁଣାଣି ବମ୍ବେ ହାଇକୋର୍ଟରେ ହୋଇଥିଲା । ବିଚାରପତି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି(ବୁଧବାର) ଅର୍ଥାତ ନଭେମ୍ବର ୧୦କୁ ଘୁଞ୍ଚାଇ ଦେବା ସହ ନୱାବ କରିଥିବା ସମସ୍ତ ଆପତ୍ତିର ପ୍ରମାଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଅନୁଯାୟୀ ୱାଙ୍ଖଡେଙ୍କ ବାପା ରବିବାର ନୱାବଙ୍କ ନାମରେ ୧.୨୫ କୋଟିର ମାନହାନୀ ମକଦ୍ଦମା କରିଥିଲେ । ନୱାବ ସାମାଜିକ ଗଣମାଧ୍ୟମରେ ତାଙ୍କ ପୁଅ ଏବଂ ପରିବାରର ସଦସ୍ୟଙ୍କ ନାମରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଦ୍ୟାନଦେବ ଅଭିଯୋଗ କରିଥିଲେ । ସେ ଯେପରି ଆଗକୁ ଏପରି ନ କରନ୍ତି ସେଥିପାଇଁ ତାଙ୍କୁ ଚେତାଇ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଦ୍ୟାନଦେବ ।ତେବେ ନୱାବ ମଲିକ ସମୀର ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ନେବା ଠାରୁ ଆରମ୍ଭ କରି ଜାତି ପ୍ରମାଣପତ୍ରରେ ଜାଲିଆତି କରିବା ଏବଂ ନିଜେ ମୁସଲମାନ ହୋଇ ଦଳିତ କୋଟାରେ ଚାକିରି କରିବା ଆଦି ଅନେକ ଅଭିଯୋଗ କରିଥିଲେ । ସେହିପରି ଗତକାଲି ମଧ୍ୟ ୱାଙ୍ଖଡେଙ୍କ ଶଳା ଏବଂ ଶାଳୀ ଡ୍ରଗ୍ସ କେସରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ ।ନୱାବ ପ୍ରେସ ବିଜ୍ଞପ୍ତିରେ ୱାଙ୍ଖଡେଙ୍କ ଶାଳୀଙ୍କ ନାମ କହିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ୱାଙ୍ଖଡେ । ସେ କହିଛନ୍ତି ଯେ, ପ୍ରେସ ବିଜ୍ଞପ୍ତିରେ କୌଣସି ମହିଳାଙ୍କ ନାମ ନ ନେବା ପାଇଁ ଆଇନ ରହିଛି । ମହିଳାଙ୍କ ମର୍ୟ୍ୟାଦାର ସୁରକ୍ଷା ପାଇଁ ଏହି ନିୟମ ରହିଛି । ୨ଟି ପିଲା ଓ ପରିବାର ଥିବା ଜଣେ ମହିଳାଙ୍କ ନାମ ଏପରିଭାବେ ସର୍ବସାଧାରଣରେ ପ୍ରଚାର କରିବା କଣ ଠିକ୍ ? ଏହା ବିରୋଧରେ ଦୃଢ ଆଇନଗତ କାର୍ୟାନୁଷ୍ଠାନ ନିଆଯିବ ବୋଲି ୱାଙ୍ଖଡେ ଚେତାବନୀ ଦେଇଛନ୍ତି ।
Powered by Froala Editor