୧୧୯ ଜଣଙ୍କୁ ମିଳିଲା ସମ୍ମାନଜନକ ପଦ୍ମ ପୁରସ୍କାର
ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। ‘ବିଜେପି’ର ପୁରଖା ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏବଂ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଏବଂ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ୍ଙ୍କ ସମେତ ପ୍ରାୟ ୧୧୯ଜଣଙ୍କୁ ଏଥର ଏହି ସମ୍ମାନ ମିଳିଛି। ଏହି ନେତାଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିବାରୁ ସେମାନଙ୍କ ପରିବାର ଲୋକେ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି। ସ୍ବରାଜଙ୍କ ଝିଅ ବାଂଶୁରୀ ଏବଂ ଜେଟ୍ଲୀଙ୍କ ପତ୍ନୀ ସଙ୍ଗୀତା ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅଭିନେତ୍ରୀ ପାଇଁ କଙ୍ଗନା ରାଣାୱତଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। କଙ୍ଗନା ତାଙ୍କର ଦୁଇଟି ଚଳଚ୍ଚିତ୍ର ‘ମାଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ । କଙ୍ଗନା ସହିତ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।
ଅନ୍ୟପଟେ ଗାୟକ ଆଦନାନ୍ ସାମି, ବ୍ୟାଡ୍ମିଣ୍ଟନ୍ ଖେଳାଳି ପି. ଭି. ସିଦ୍ଧୁ ଏବଂ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ୍. ସି. ଜମିର୍ଙ୍କୁ ମଧ୍ୟ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି। ମ୍ମାନ ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Powered by Froala Editor