କ୍ୟାମ୍ପରେ ଝଗଡ଼ା : ଯବାନଙ୍କ ଗୁଳିମାଡ଼ରେ ୪ ଯବାନ ମୃତ

ଛତିଶଗଡ଼ ସୁକମା ଜିଲ୍ଲା ମାରାଇଗୁଡ଼ା ଥାନା ଅନ୍ତର୍ଗତ ଲିଙ୍ଗନପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଗୁଳିକାଣ୍ଡ ଘଟିଛି। ଜଣେ ସିଆରପିଏଫ ଯବାନଙ୍କ ଗୁଳିମାଡ଼ରେ ଆଉ ୪ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ପ୍ରାଣ ହରାଇଥିବା ଯବାନମାନେ ହେଲେ- କନଷ୍ଟେବଲ ରାଜମଣି କୁମାର ଯାଦବ, ରାଜୀବ ମଣ୍ଡଳ, ଧନଞ୍ଜୀ କୁମାର ଓ ଧର୍ମେନ୍ଦ୍ର କୁମାର। ସେହିପରି ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ଧନଞ୍ଜୟ କୁମାର ସିଂ, ଧର୍ମାତ୍ମା କୁମାର ଓ ମଳୟ ରଞ୍ଜନ ମହାରଣା । ଯେଉଁ ଯବାନ ଗୁଳି ଚଳାଇଥିଲେ ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ନାଁ ରୀତିଶ ରଞ୍ଜନ।
ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। କ୍ୟାମ୍ପରେ କୌଣସି କଥାକୁ ନେଇ ଯବାନଙ୍କ ମଧ୍ୟରେ ବଚସା ହୋଇଥିଲେ। ଆଉ ରୀତିଶ ରଞ୍ଜନ ହଠାତ୍ ବନ୍ଧୁକ ଆଣି ଗୁଳି ଚଳାଇଥିଲେ। ଏଥିରେ ୭ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଭଦ୍ରାଚଳମ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚାରି ଜଣ ଯବାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ଜଣେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଜଣଙ୍କୁ ରାୟପୁରକୁ ଏୟାର ଲିଫ୍ଟ କରାଯାଇଛି।
Powered by Froala Editor