ଉବୁଟୁବୁ ଚେନ୍ନାଇ ସହର, ୨୦୧୫ଠୁ ଅଧିକ ବର୍ଷା ରେକର୍ଡ
ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ବିଭିନ୍ନ ଜାଗାରେ ପାଣି ଜମି ରହିଛି। ୨୦୧୫ଠାରୁ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇ ପାଣିରେ ବୁଡ଼ି ରହିଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। ଦୁଇ ଦିନ ପାଇଁ ସ୍କୁଲ ଓ କଲେଜକୁ ମଧ୍ୟ ଛୁଟି ଘୋଷଣା କରିଛି ତାମିଲନାଡୁ ସରକାର ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି । ଅଧିକାଂଶ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ୫ଟି ଟ୍ରେନ ବାତିଲ ହୋଇଛି । ଗତକାଲି ରାତିରେ ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମାହୋଇ ରହିଛି । ଗତ ୧୦ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୪ ସେମି ବର୍ଷା ରେକର୍ଡ କରାଯାଇଛି। ଚେମ୍ବରବାକ୍କାମ ହ୍ରଦରୁ ଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ ବିଚାର କରାଯାଉଛି। ଆନ୍ନା ନଗର ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।
ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ୍ କହିଛନ୍ତି ଯେ, ମିଲାପୋରରେ ୨୨୬ ମିମି, ଅମ୍ବାଟୁରରେ ୨୦୫ ମିମି ବର୍ଷା ରେକର୍ଡ଼ କରାଯାଇଛି। ୨୦୧୫ ମସିହାରୁ ସର୍ବାଧିକ ବର୍ଷା ହୋଇଛି। ଆରବ ସାଗରରେ ଏକ ଲୋ ପ୍ରେସର ସୃଷ୍ଟି ହୋଇଥିବାରୁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି। ନଭେମ୍ବର ୧୦ ଏବଂ ୧୧ ଦୁଇ ଦିନ ଧରି ତାମିଲନାଡୁର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି।
Powered by Froala Editor